ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ, ଲଘୁଚାପ ବର୍ଷା ଜନିତ ରିଲିଫ, ପୁର୍ନରୁଦ୍ଧାର ଓ କ୍ଷୟକ୍ଷତି ସମ୍ପର୍କୀତ ସମୀକ୍ଷା
ବାରିପଦା : ରାଜ୍ୟରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗମନ୍ତ୍ରୀ ସୁଦାମ ମାରାଣ୍ଡି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ଲଘୁଚାପ ବର୍ଷା ଜନୀତ ବନ୍ୟା ସ୍ଥିତି, ରିଲିଫ, ପୁର୍ନରୁଦ୍ଧାର ଓ କ୍ଷୟକ୍ଷତି ସମ୍ପର୍କୀତ ଜିଲ୍ଲାପ୍ରଶାଶନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷାମୂଳକ ଆଲୋଚନା କରିଥିଲେ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଜିଲ୍ଲାସ୍ତରୀୟ ବୈଠକରେ ରାଜସ୍ୱମନ୍ତ୍ରୀ ଶ୍ରୀ ମାରାଣ୍ଡି ଯୋଗଦେଇ ବିଶେଷକରି ଲଗାଣବର୍ଷା ଯୋଗୁ ଜିଲ୍ଲାର ଛୋଟବଡ ନଦୀ ଉପକୂଳବର୍ତୀ ବସ୍ତି ଓ ତଳିଆ ଅଂଚଳରେ ସୃଷ୍ଟିି ହୋଇଥିବା ବନ୍ୟାପ୍ରଭାବରେ ରିଲିଫ, ପୁର୍ନରୁଦ୍ଧାର ଓ କ୍ଷୟକ୍ଷତି ଉପରେ ସମୀକ୍ଷା କରିଥିଲେ ।
ଉକ୍ତ ସମୀକ୍ଷା ବୈଠକରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ତଥା ଭାରପ୍ରାପ୍ତ ମୟୂରଭଞ୍ଜ ପିଡି,ଡିଆରଡିଏ ସ୍ୱଧାଦେବ ସିଂ, ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ବିବେକାନନ୍ଦ ସାହୁ,ବାରିପଦା ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ବାରିପଦା ପୌରପରିଷଦ ପି. ଅନ୍ୱେଷା ରେଡ୍ଡି, କରଞ୍ଜିଆ ଉପଜିଲ୍ଲାପାଳ ଡଃ ରଜନୀକାନ୍ତ ବିଶ୍ୱାଳ ଓ ଉଦଳା ଉପଜିଲ୍ଲାପାଳ ଭଗବାନ ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ ।
ସମୀକ୍ଷା ବୈଠକ ପ୍ରାରମ୍ଭରେ ଜିଲ୍ଲାପ୍ରଶାସନ ତତ୍ତ୍ୱାବଧାନରେ ଜରୁରୀକାଳୀନ ଭିତିରେ ଲଘୁଚାପ ଜନିତ ବନ୍ୟାସ୍ଥିତି ଉପରେ ନିଆଯାଇଥିବା ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀସାହୁ ପାୱାର ପଏଣ୍ଟ ମାଧ୍ୟମରେ ସୂଚାଇଥିଲେ । ସମୀକ୍ଷାରେ ଅଗଷ୍ଟ୨୫ ଓ ୨୬ତାରିଖ ଲଗାଣବର୍ଷା ଜନୀତ ବନ୍ୟା ପ୍ରଭାବିତ ନଦୀ ଉପକୂଳ ତଥା ତଳିଆ ବସ୍ତି ଅଂଚଳର ୩୫୦୦ରୁ ଉର୍ଦ୍ଧ ଲୋକଙ୍କୁ ଜରୁରୀକାଳୀନ ଭିତିରେ ନିରାପଦ ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳ ତଥା ବିଭିନ୍ନ ବିଦ୍ୟାଳୟକୁ ସ୍ଥାନାନ୍ତରୀତ କରାଯାଇ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଭିଷଣବର୍ଷା ଯୋଗୁ ଆସିଥିବା ବନ୍ୟାରେ ଜିଲ୍ଲାର ୪ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଥିବାବେଳେ, ଜଣେ ବ୍ୟକ୍ତି ନିଖୋଜ ଏବଂ ଅନ୍ୟଜଣେ ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣାଯାଇଛି । ଏସଆରସି ନିୟମାବଳି ଅନୁଯାୟୀ ମୃତବ୍ୟକ୍ତିଙ୍କ ମିଳିତ ତଦନ୍ତକରି ତୁରନ୍ତ ସେମାନଙ୍କ ପରିବାରବର୍ଗଙ୍କୁୁ ଅନୁକମ୍ପା ସହାୟତାରାଶି ଯୋଗାଇଦେବାକୁ ଏସଆରସିଙ୍କ ନିକଟକୁ ସୁପାରିଶ କରାଯିବା ନିମନ୍ତେ ରାଜସ୍ୱମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏଥିସହିତ ବୈଠକରେ କୃଷି,ଗ୍ରାମ୍ୟନିର୍ମାଣ, ଜଳସେଚନ, ପୂର୍ତ୍ତ(ରାସ୍ତା ଓ ଗୃହ), ବିଦୁ୍ୟତ୍ ଆଦି ବିଭାଗର ପ୍ରାକ କ୍ଷୟକ୍ଷତି ସମ୍ପର୍କିତ ତଥ୍ୟ ସମ୍ପୃକ୍ତ ବିଭାଗ ଅଧିକାରୀମାନେ ସୂଚାଇଥିଲେ । ସମୀକ୍ଷାରେ ରାଜସ୍ୱମନ୍ତ୍ରୀ ଜିଲ୍ଲାରେ କ୍ଷତିଗ୍ରସ୍ତ ରାସ୍ତା,ପୋଲ,ଯୋଗାଯୋଗ ବ୍ୟବସ୍ଥା, କେନାଲ ଓ ବିଦୁ୍ୟତ୍ ସରବରାହ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ କାର୍ଯ୍ୟକୁ ସ୍ୱଭାବିକ କରିବାକୁ ବିଶେଷ କରି ଜିଲ୍ଲାରେ କୃଷି/ଅଣକୃଷି ଫସଲ ଚାଷୀମାନଙ୍କର ବାଲିଚର ହୋଇଥିବା ଜମୀ ଓ ଫସଲ କ୍ଷୟକ୍ଷତିର ସଠିକ୍ ପରିମାଣ ଅନୁଧ୍ୟାନ କରି ଯଥାଶିଘ୍ର ଜିଲ୍ଲାପ୍ରଶାସନ ଜୋରିଆରେ ରାଜ୍ୟ ଏସଆରସିଙ୍କ ନିକଟକୁ ପଠାଇବାକୁ ରାଜସ୍ୱମନ୍ତ୍ରୀ ଶ୍ରୀମାରାଣ୍ଡି ନିଦେ୍ର୍ଦଶ ଦେଇଥିଲେ ।
ସେହିପରି ବନ୍ୟା ପ୍ରଭାବିତ ଗ୍ରାମପଂଚାୟତ/ପଂଚାୟତ ସମିତି ରାସ୍ତା, କ୍ଷତିଗ୍ରସ୍ତ କଚ୍ଚାଗୃହ ଆଦି ଉପରେ ସବିଶେଷ ତଥ୍ୟ ସମ୍ପୃକ୍ତ ବିଡିଓ/ତହସିଲଦାରଙ୍କ ଦ୍ୱାରା ଆକଳନକରି ତୁରନ୍ତ ବିବରଣୀ ପଠାଇବାକୁ ସମସ୍ତ ଉପଜିଲ୍ଲାପାଳମାନଙ୍କୁ ରାଜସ୍ୱମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଅନ୍ୟାନ୍ୟ ପ୍ରସଙ୍ଗ କ୍ରମରେ ସାଧାରଣ ବଣ୍ଟନ ବ୍ୟବସ୍ଥା, କରୋନା ସ୍ୱାସ୍ଥ୍ୟ ସେବାପାଇଁ ପ୍ଲାଜମା ସଂଗ୍ରହ ଆଦି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଉକ୍ତ ସମୀକ୍ଷା ଓ ଆଲୋଚନା ବୈଠକରେ ରାଜସ୍ୱମନ୍ତ୍ରୀଙ୍କ ପରାମର୍ଶକ୍ରମେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜରୁରୀକାଳିନ ଭିତିରେ କ୍ଷୟକ୍ଷତି ଆକଳନର ରିପୋର୍ଟ ଜିଲ୍ଲାପ୍ରସାଶନ ନିକଟରେ ଦାଖଲ କରିବା ଉପରେ ଗୁରୁତ୍ୱରୋପ କରିଥିଲେ ।