Odisha news

ଅଭିଶପ୍ତ ବାର୍ଦ୍ଧକ୍ୟ

0

ଯଦୁମଣି ପାଣିଗ୍ରାହୀ : ଭଗବାନଙ୍କ ବୈଚିତ୍ର୍ୟମୟ ସୃଷ୍ଟିରେ ମଣିଷକୁ ଶ୍ରେଷ୍ଠ ଜୀବର ମାନ୍ୟତା ଦିଆଯାଇଛି । ତେବେ ସୃଷ୍ଟିର ଅନ୍ୟାନ୍ୟ ଜୀବଜନ୍ତୁଙ୍କ ତୁଳନାରେ ମଣିଷର ଅସହାୟତାକୁ ଦେଖିଲେ ସତରେ ମନରେ ଦୟା ଆସେ । କୀଟପତଙ୍ଗ କିମ୍ବା ପଶୁପକ୍ଷୀର ଶାବକଟିଏ ଜନ୍ମ ନେବାର ଅଳ୍ପ କେଇ କ୍ଷଣ କିମ୍ବା ଅଳ୍ପ କେଇ ଦିନ ଭିତରେ ଚଳପ୍ରଚଳ ଠାରୁ ପୁଣି ଖାଦ୍ୟଗ୍ରହଣ ଯାଏଁ ସବୁକିଛି କ୍ରିୟାକଳାପ ସଂପନ୍ନ କରିବାକୁ ସମର୍ଥ ହେଉଥିବା ବେଳେ ମଣିଷ ଶିଶୁକୁ ଏସବୁ କରିବାକୁ ବର୍ଷାଧିକ କାଳ ପ୍ରତୀକ୍ଷା କରିବାକୁ ପଡିଥାଏ । ଏହାବ୍ୟତୀତ ମଣିଷ ଜୀବନରେ ଆଉ ଏକ ବ୍ୟତିକ୍ରମ ହେଉଛି ଶୈଶବର ଅସହାୟତା ପୁଣି ବାର୍ଦ୍ଧକ୍ୟରେ ପରିଲକ୍ଷିତ ହେବା ଘଟଣା । ଶୈଶବରେ ଶିଶୁଟିଏ ଯେମିତି କାହାରି ସାହାରା ବିନା କୌଣସି କ୍ରିୟା କରିବାକୁ ଅକ୍ଷମ ହୋଇଥାଏ ଠିକ୍ ସେମିତି ଭାବେ ବାର୍ଦ୍ଧକ୍ୟରେ ବି ବିନା ସାହାରାରେ ବଞ୍ଚିବା ଦୁର୍ବିଷହ ହୋଇପଡେ । ଶୈଶବରେ ପିତାମାତା, ଆତ୍ମୀୟ ସ୍ୱଜନ ଓ ପରିବାରବର୍ଗଙ୍କ ସେବାଯତ୍ନରେ ଲାଳିତପାଳିତ ହୋଇଥାଏ ମାନବ ଶିଶୁ ।

ତା’ର ସବୁ ଅଳି ଅଝଟକୁ ନିର୍ବିକାର ଭାବେ ସହ୍ୟ କରି ତାକୁ ଛୋଟରୁ ପୁଣି ବଡ ହେବାରେ ସହାୟତା କରିବା ସହ ତାକୁ ଉପଯୁକ୍ତ ଶିକ୍ଷାଦୀକ୍ଷା ଓ ସଂସ୍କାର ଦେଇ ସୁମଣିଷ କରି ଗଢିବା ଯାଏଁ ରହିଥିବା ପିତାମାତାଙ୍କର ନିରବଚ୍ଛିନ୍ନ ପ୍ରୟାସ ବାସ୍ତବିକ ଅବିସ୍ମରଣୀୟ । ତ୍ୟାଗ ଓ ତିତିକ୍ଷା ବିନା ଏସବୁ କ’ଣ ସମ୍ଭବ । ଗର୍ଭଧାରଣ ଠାରୁ ପୁଣି ଗର୍ଭଯନ୍ତ୍ରଣା ସହି ଶିଶୁଟିଏ ଜନ୍ମ ଦେବାର ମହାନତା ହିଁ ନାରୀ ଜୀବନକୁ ସାର୍ଥକ କରିଥାଏ । ଶୈଶବର ଲାଳନପାଳନ ଠାରୁ ଉତ୍ତମ ଶିକ୍ଷା ଓ ସଂସ୍କାରରେ ସଂସ୍କାରିତ କରି ସନ୍ତାନସନ୍ତତିଙ୍କୁ ନିଜ ଗୋଡରେ ଛିଡା କରିବାରେ ପିତାମାତାଙ୍କ ମହନୀୟ ଅବଦାନ ସଂସାରରେ ବିରଳ ଓ ଅତୁଳନୀୟ । ଯାହାକୁ ଭାଷାରେ ବ୍ୟକ୍ତ କରିବା ଅସମ୍ଭବ । ପିତାମାତାଙ୍କ ପ୍ରତ୍ୟେକ୍ଷ ପ୍ରେରଣା ଓ ତତ୍ତ୍ୱାବଧାନରେ ସନ୍ତାନସନ୍ତତି ସେମାନଙ୍କ ଭବିଷ୍ୟତ ଜୀବନକୁ ସୁନିର୍ମାଣ କରିବାକୁ ସମର୍ଥ ହୋଇଥାନ୍ତି । ପିତାମାତାଙ୍କ ମାର୍ଗଦର୍ଶନ ବିନା ଶିଶୁଟିଏ ଶୃଙ୍ଖଳିତ, ସଂଯମୀ, ସହନଶୀଳ. ଶ୍ରଦ୍ଧାବାନ, ସଚ୍ଚରିତ୍ରବାନ ହୋଇପାରେନି କି ଦୟା, କ୍ଷମା ଓ ପରୋପକାର ଭଳି ଗୁଣରେ ନିଜକୁ ବିଭୂଷିତ କରିପାରେନି । ସେଥିପାଇଁ ତ ପିତାମାତା ହେଉଛନ୍ତି ସଂସାରରେ ସର୍ବଶ୍ରେଷ୍ଠ ମାର୍ଗଦର୍ଶକ ତଥା ପଥ ପ୍ରଦର୍ଶକ । ସନ୍ତାନସନ୍ତତିଙ୍କ ପ୍ରତି ସେମାନଙ୍କ ନିଷ୍କପଟ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ପଟାନ୍ତର ନାହିଁ । ସେଥିପାଇଁ ତ ସଂସାରରେ ପିତାମାତାଙ୍କ ବିକଳ୍ପ ନାହିଁ କି କୌଣସି ସନ୍ତାନ ପିତାମାତାଙ୍କ ଋଣ ପରିଶୋଧ କରିବାରେ ଆଜିଯାଏଁ ସମର୍ଥ ହୋଇପାରିନି ।

ତେବେ ଦୁର୍ଭାଗ୍ୟର ବିଷୟ ଏହି ଯେ, ଦିନେ ନିଜର ସନ୍ତାନସନ୍ତତିଙ୍କ ଲାଗି ତ୍ୟାଗ ଓ ତିତିକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ ପାଲଟି ଥିବା ପିତାମାତା ଆଜି ନାନାଭାବେ ଅବହେଳିତ ଓ ନିର୍ଯାତିତ । ବୟସର ପାହାଚ ପରେ ପାହାଚ ଚଢି ପରିଣତ ବୟସରେ ପଦାର୍ପଣ କରିଥିବା ପିତାମାତାଙ୍କୁ ଆଜି ପରିବାରରେ ଅଣଦେଖା ଓ ଅସମ୍ମାନ କରାଯାଉଛି । ଶିକ୍ଷା ଓ ସଚେତନତା ପ୍ରଭାବରୁ ଅଧୁନା ପ୍ରତ୍ୟେକଟି ପରିବାରରେ ପୁତ୍ର କିମ୍ବା କନ୍ୟା ସନ୍ତାନଙ୍କ ପ୍ରତି ପିତାମାତାଙ୍କ ହୃଦୟରେ ସମାନ ଶ୍ରଦ୍ଧା ଓ ଭଲ ପାଇବା ରହିଥିଲେ ମଧ୍ୟ ପୁତ୍ରସନ୍ତାନଙ୍କ ପ୍ରତି ଏହି ଭଲ ପାଇପାଇବାର ମାତ୍ରା ସାମାନ୍ୟ ଅଧିକ ମନେହୁଏ । କାରଣ କନ୍ୟା ସନ୍ତାନଟେ ବିବାହ କରି ପରଘରକୁ ଚାଲିଯିବାର ସାମାଜିକ ବିଧାନ ରହିଥିବାରୁ ପରିଣତ ବୟସରେ ପୁତ୍ର ସନ୍ତାନ ହିଁ ପିତାମାତାଙ୍କ ଆଶା ଭରସାର କେନ୍ଦ୍ରବିନ୍ଦୁ ପାଲଟିଥାଏ । ପିତାମାତାଙ୍କ ମୃତୁ୍ୟ ପରେ ସେମାନଙ୍କ ଅନ୍ତିମ ସଂସ୍କାର କରିବା ଓ ମୁହଁରେ ନିଆଁ ଦେବା ଭଳି ବିଧି ସଙ୍ଗତ କର୍ତ୍ତବ୍ୟ ସଂପାଦନ କେବଳ ପୁତ୍ରସନ୍ତାନ ହିଁ ସମାପନ କରିଥାଏ । ଏହାବ୍ୟତୀତ ପୁତ୍ର ସନ୍ତାନ ହିଁ ପିତାମାତାଙ୍କୁ ସର୍ବଦୌ ପିଣ୍ଡ ଦାନ କରିବାକୁ ସମର୍ଥ ବୋଲି ଆମ ଶାସ୍ତ୍ର ମତ ଦେଇଥାଏ । ଏହିସବୁ କାରଣରୁ ବୋଧହୁଏ ପୁତ୍ରସନ୍ତାନଟିଏ ଲାଭ କରିବାର ଲାଳସା ସବୁ ପିତାମାତାଙ୍କ ହୃଦୟରେ ଗୋପନୀୟ ହୋଇ ରହିଥାଏ । ଦାରୁଣ ବିଡମ୍ବନାର ବିଷୟ ଏହି ଯେ, ଆଜି ସେହି ପୁତ୍ରସନ୍ତାନଙ୍କ ଦ୍ୱାରା ସେମାନଙ୍କ ପିତାମାତା ଲା‚ିତ ଓ ଅପମାନିତ ।

ପିତାମାତାଙ୍କ ପରିଣତ ବୟସରେ ସେମାନଙ୍କୁ ଆଡ ଆଖିରେ ଚାହିଁବାକୁ ସେମାନେ ନାରାଜ । ଅଧୁନା ଅଧିକାଂଶ ଖୁବ ଉଚ୍ଚ ଶିକ୍ଷିତ ଓ ଖାନଦାନୀ ପରିବାରରେ ଏଭଳି ବିଡମ୍ବନା ଦେଖିବାକୁ ମିଳୁଛି । ଉଚ୍ଚ ଶିକ୍ଷାଲାଭ ପରେ କର୍ମସଂସ୍ଥାନର ଦ୍ୱାହି ଦେଇ ଏହି ସ୍ୱାର୍ଥପର ପୁତ୍ରମାନେ ଘରେ କିମ୍ବା ବୃଦ୍ଧାଶ୍ରମରେ ସେମାନଙ୍କ ପିତାମାତାଙ୍କୁ ନିଃସଙ୍ଗ ଜୀବନ ବିତାଇବାକୁ ଛାଡିଦେଇ ଦେଶବିଦେଶରେ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ଏମାନେ ପରିଣତ ବୟସରେ ପିତାମାତାଙ୍କ ଅସହାୟତାକୁ ବୁଝିବାକୁ ଆଦୌ ପ୍ରସ୍ତୁତ ନୁହଁନ୍ତି । ଆଉ ମଧ୍ୟବିତ୍ତ ବର୍ଗର ଯେଉଁମାନେ ସେମାନଙ୍କ ପିତାମାତାଙ୍କୁ ନିଜ ପାଖରେ ରଖିଛନ୍ତି ସେହିସବୁ ପରିବାରରେ ବି ପିତାମାତା ବଡ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଛନ୍ତି । କେବଳ ପୋଷା ଜୀବଜନ୍ତୁଙ୍କ ଭଳି ବିତୁଛି ଏମାନଙ୍କ ଜୀବନ । ସେହିପରି ନିମ୍ନ ମଧ୍ୟବିତ୍ତ ପରିବାର ଗୁଡିକରେ ପିତାମାତା ମଧ୍ୟ ବଡ ଦୁଃଖ କଷ୍ଟର ଜୀବନ ଜୀଉଁଛନ୍ତି । ପିତାମାତାଙ୍କୁ ଖାଇବାକୁ ନଦେବା, ମାଡ ମାରିବା ଠାରୁ ପୁଣି ଜୀବନରୁ ମାରିଦେବା ଭଳି ଦୁଃଖଦ ଓ ଦୁର୍ଭାଗ୍ୟଜନକ ଘଟଣା ଆଜି ଆମ ସମାଜରେ ଘଟୁଥିବା ପରିତାପର ବିଷୟ ।

ପିତାମାତା ସେମାନଙ୍କ ପାଇଁ ବୋଝ ସଦୃଶ ଓ ସେମାନଙ୍କ ପାରବାରିକ ଜୀବନରେ କୁଆଡେ ଏମାନେ ପ୍ରତିବନ୍ଧକ ସୃଷ୍ଟି କରୁଥିବା କେତେକ କହିବାର ଶୁଣିବାକୁ ମିଳିଥାଏ । ଆଜି ମଣିଷ ଭିତରୁ ନୀତିନୈତିକତା ଓ ମାନବିକ ମୂଲ୍ୟବୋଧ କୁଆଡେ ହଜିଗଲାଣି । ଯାହାର ପ୍ରତିଫଳନ ଆଜି ପାରିବାରିକ ଜୀବନକୁ ଭାଙ୍ଗିରୁଜି ନଷ୍ଟ କରିଦେଲେଣି । ପରିବାରରେ ବୃଦ୍ଧ/ବୃଦ୍ଧା ଓ ଗୁରୁଜନ ମାନଙ୍କୁ ଯଥୋଚିତ ଭକ୍ତି ଓ ସମ୍ମାନ ପ୍ରଦର୍ଶନରେ ସେମାନଙ୍କ ସନ୍ତାନସନ୍ତତିଙ୍କର ଆଉ ଆଗ୍ରହ ନଥିବା ପରି ଲାଗୁଛି । ପରିଣତ ବୟସରେ ପାଦ ଥାପିଥିବା ପିତାମାତାଙ୍କୁ ଅବହେଳା ଓ ଅସମ୍ମାନୀତ କରାଯିବା କୌଣସି ଦୃଷ୍ଟିରୁ ସମୀଚୀନ ନୁହେଁ । ସେମାନଙ୍କ ମାନସିକତାକୁ ଭଲ ଭାବେ ହୃଦୟଙ୍ଗମ କରି ସେମାନଙ୍କର ଉପଯୁକ୍ତ ସେବାଯତ୍ନ କରାଯିବା ଉଚିତ୍ । କୌଣସି ସମୟରେ ବି ପିତାମାତା ନିଃସଙ୍ଗତା ଅନୁଭବ ନ କରନ୍ତୁ କି ବାର୍ଦ୍ଧକ୍ୟ ସେମାନଙ୍କ ପାଇଁ ଅଭିଶାପ ପାଲଟି ନଯାଉ । ଜୀବନର ଚାରିବସ୍ଥା ମଧ୍ୟରୁ ବାର୍ଦ୍ଧକ୍ୟ ଏକ ଅବସ୍ଥା ଆଉ ଏହି ଅବସ୍ଥାରେ ପିତାମାତାଙ୍କ ପ୍ରତି ଆମର କର୍ତ୍ତବ୍ୟ କ’ଣ ହେବା ଉଚିତ୍ ତାହା ସମସ୍ତେ ଭଲ ଭାବେ ଅନୁଭବ କରନ୍ତୁ ।

ସେମାନେ ଆମପ୍ରତି କରିଥିବା କର୍ତ୍ତବ୍ୟର ପ୍ରତିଦାନ ଭାବରେ ଆମେ ସେମାନଙ୍କ ପ୍ରତି ଆମ କର୍ତ୍ତବ୍ୟ କରିବା ଉଚିତ ନୁହେଁ କି ? ପୂରାମାତ୍ରାରେ ନହେଲେ ବି କିଛିମାତ୍ରାରେ ତ ପରିଶୋଧ କରିପାରିବା ସେମାନଙ୍କ ଋଣ । ଆମ ପିତାମାତାଙ୍କ ପ୍ରତି ଆମର ସମୁଚିତ କର୍ତ୍ତବ୍ୟ ହିଁ ଆମ ପିଲାମାନଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିବ ଓ ଏହି ଧାରା ପିଢିକୁ ପିଢି ଅବ୍ୟାହତ ରହିବ । ଏହି ଭାବ ଓ ଭାବନା ଆମ ମନ ଓ ବିବେକକୁ ସଦାସର୍ବଦା ଆକର୍ଷିତ ଓ ଆନେ୍ଦାଳିତ କରୁଥାଉ ଏହା ହିଁ ଚିନ୍ତନ ହେବା ଉଚତ

Leave A Reply