ଧର୍ମଶାଳା : କରୋନା ମହାମାରୀ ଯୋଗୁଁ ଦେଶ ବ୍ୟାପି ଲକଡାଉନ ଆରମ୍ଭ ହେବା ପରେ ପ୍ରବାସୀ ଓଡିଆଙ୍କ ଘର ବାହୁଡା ଜାରି ରହିଛି । ଏହି କ୍ରମରେ ଧର୍ମଶାଳା ବ୍ଲକକୁ ବୁଧବାର ସନ୍ଧ୍ୟା ସୁଦ୍ଧା ୧୬୬୮ ଜଣ ପ୍ରବାସୀ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫେରିଥିବା ଏହି ପ୍ରବାସୀମାନଙ୍କ ମଧ୍ୟରେ ୧୪୭୬ଜଣ ପୁରୁଷ, ୧୩୨ଜଣ ମହିଳା ଓ ୬୦ ଜଣ ଛୋଟପିଲା ରହିଛନ୍ତି । ଗୁଜୁରାଟରୁ ୨୯୦, ତେଲେଙ୍ଗାନାରୁ ୩୬୧, ପଶ୍ୱିମବଙ୍ଗରୁ ୧୦୬, କର୍ଣ୍ଣାଟକରୁ ୧୯୧,ଅନ୍ଦ୍ର ପ୍ରଦେଶରୁ ୧୪୬, କେରଳରୁ ୧୬,ତାମିଲନାଡୁରୁ ୨୮୮, ମହାରାଷ୍ଟ୍ରରୁ ୧୪୦,ବିହାରରୁ୬,ଝାରଖଣ୍ଡରୁ ୧୯,ମଧ୍ୟପ୍ରଦେଶରୁ ୩, ଛତିଶଗଡରୁ ୧୫,ଉତରପ୍ରଦେଶରୁ ୧୦, ରାଜସ୍ଥାନରୁ ୬, ଦିଲ୍ଲୀରୁ ୨୮,ହରିଆନାରୁ ୮,ଗୋଆରୁ ୭୧, ପୁଡୁଚେରୀରୁ ୮, ଦାଦର ନଗର ହବେଲିରୁ ୫, ଡାମନ ଡିିୟୁରୁ ୪ଜଣ, ଅରୁଣାଚଳ ପ୍ରଦେଶ ରୁ୧ ପ୍ରବାସୀ ଧର୍ମଶାଳା ବ୍ଲକର ଭିଭିନ୍ନ ଅଂଚଳକୁ ଫେରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ମେ ମାସର ପ୍ରଥମ ସପ୍ତାହରୁ ବାହାର ରାଜ୍ୟରେ ରହୁଥିବା ପ୍ରବାସୀମାନେ କାମଧନ୍ଦା ନପାଇ ନିଜ ଘରକୁ ଫେରିବା ଆରମ୍ଭ କରିଥିଲେ । ସରକାରୀ ନିୟମ ଅନୁଯାୟୀ ଏହି ବ୍ଲକରେ ପାଖାପାଖି ୨୫୦୦ଜଣ ନିଜ ଘରକୁ ଫେରିବା ଲାଗି ଅନଲାଇନରେ ରେଜିଷ୍ଟ୍ରେସନ କରିଥିଲେ । କିଛି ଦିନ ହେଲା ପ୍ରବାସୀଙ୍କ ଫେରିବା କମିଯାଇଥିବା ବେଳେ ଏବେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁ ଅନ୍ୟ ରାଜ୍ୟରେ ରହିଯାଇଥିବା ପ୍ରବାସୀ ପୁଣି ନିଜ ରାଜ୍ୟକୁ ଫେରିବା ଅରମ୍ଭ କରିଛନ୍ତି । ତେବେ ଆଗକୁ ଏହି ମହାମାରୀ ନକମିଲେ ପ୍ରବାସୀଙ୍କ ଫେରିବା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏବେ ସରକାରୀ ନିୟମ ଅନୁସାରେ ରାଜ୍ୟକୁ ଫେରୁଥିବା ପ୍ରବାସୀମାନେ ସରକାରୀ କ୍ୱାରେନଟାଇନରେ ୧୪ ଦିନ ପର୍ଯ୍ୟନ୍ତ ରହୁଛନ୍ତି । ସେମାନଙ୍କ ପାଇଁ ପଂଚାୟତ ତରଫରୁ ଖାଦ୍ୟ ଓ ରହଣିର ବ୍ୟବସ୍ଥା କରାଯାଉଛି । ଆରମ୍ଭରୁ ଯେଉଁଭଳି ଭାବେ ସରକାରୀ କ୍ୱାରେନଟାଇନରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କ ସ୍ୱାବ ଟେଷ୍ଟ କରାଯାଉଥିଲା । ଏବେ କିନ୍ତୁ ଏଥିରେ ପରିବର୍ତନ କରାଯାଇ କେବଳ ସିମଟମ ଥିବା ବ୍ୟକ୍ତିମାନଙ୍କର ସ୍ୱାବ ଟେଷ୍ଟ କରାଯାଉଛି ।