ହାଟଡିହି-୧୯/୫, କରୋନା ମହାମାରୀ ସହିତ ସମଗ୍ର ବିଶ୍ୱ ଏବେ ଲଢ଼େଇ ଜାରି ରଖିଥିବାବେଳେ ଏଥିପାଇଁ ସାମାଜିକ ଦୁରତାକୁ ମୁଖ୍ୟ ଆୟୁଧ କରାଯାଇଛି । ଏଥିପାଇଁ ଲକଡାଉନ, ସର୍ଟଡାଉନ ଭଳି ବଡ ବଡ ପଦକ୍ଷେପ ନିଆଯାଉଛି । ସେହିପରି ପ୍ରବାସୀ ଓଡିଆମାନେ ଏବେ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟର ମାନଙ୍କରେ ସଂଗରୋଧରେ ରହିବାକୁ ଥିବାବେଳେ ସଂଗରୋଧ ନିୟମକୁ ଲୋକମାନେ ମାନୁ ନାହାନ୍ତି ।
ନିଜ ନିଜ ସମ୍ପର୍କୀୟ ମାନଙ୍କ ପାଇଁ ଖାଦ୍ୟ ପାନୀୟ ଯୋଗାଇବା ସହିତ ସେମାନଙ୍କ ସହିତ ମିଳିମିଶା କରୁଛନ୍ତି । ଗାଁର ସାଙ୍ଗସାଥିମାନେ ସେମାନଙ୍କ ସହିତ ଲୁଚାଛପାରେ ମିଶୁ ଥିବାରୁ କରୋନା ମହାମାରୀକୁ ଆମେ କେତେଦୁର ପ୍ରତିରୋଧ କରିପାରିବା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ତନ୍ମଧ୍ୟରୁ ପ୍ରାୟତ ୯୯ଭାଗ ହେଉଛନ୍ତି ପ୍ରବାସୀ ଓଡିଆ । ଏଣୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ଏବେ ସେମାନଙ୍କ ପାଇଁ ପ୍ରତି ପଞ୍ଚାୟତ ଓ ମୁନିସପାଲଟିରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲି ସଂଗରୋଧରେ ରହିବାକୁ ନିବେଦନ କରିଛନ୍ତି । ଏପରିକି ସେମାନଙ୍କୁ ଖାଇବା, ପିଇବା ସହିତ ଦୁଇହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି । ଏତେ ପରେବି ବାହାରୁ ଆସୁଥିବା ଲୋକମାନେ ଏହି ସଂଗରୋଧ ନିୟମକୁ ନମାନି ଖୁଲାମଖୁଲା ସାଙ୍ଗ ସାଥି ମାନଙ୍କ ସହ ମିଶିବାରୁ ଅନେକ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ମଧ୍ୟ ପ୍ରକାଶ ପାଉଛି ।
ହାବଳେଶ୍ୱର ପଞ୍ଚାୟତର ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ୯୫ଜଣ ପ୍ରବାସୀ ଓଡିଆ କ୍ୱାରେଣ୍ଟାଇନରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ବାହାରେ ବୁଲିବା, ଝାଡା ପରିଶ୍ରା ପାଇଁ ବାହାରକୁ ଯିବାରୁ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ଆଜି ସ୍ଥାନୀୟ ସରପଞ୍ଚ ଓ କିଛି ଭଦ୍ରବ୍ୟକ୍ତି ସ୍କୁଲକୁ ଯାଇ ସେମାନଙ୍କୁ ବୁଝାସୁଝା କରିବାପରେ ସେମାନେ ସମସ୍ତ ନୀତି ନିୟମ ମାନିବେ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି ।
ସେହିପରି ବାହାରିପୁର ହାଇସ୍କୁଲରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରେ ରହିଥିବା ପ୍ରବାସୀଙ୍କ ସହ ସେମାନଙ୍କ ସାଙ୍ଗସାଥିମାନେ ଆସି ମିଳାମିଶା କରୁଥିବା ଅଭିଯୋଗ ହୋଇଛି । ସେହିପରି ଗତ କିଛିଦିନ ତଳେ ଡଅଁର କ୍ୱାରେଣ୍ଟାଇନ ସେଣ୍ଟରରେ ସମ୍ପର୍କୀୟଙ୍କୁ ଖାଦ୍ୟ ଦେବାକୁ ନେଇ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଥିବାବେଳେ ମରୈଗାଁରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଖାଲି ଏହି ଦୁଇ ତିନୋଟି ସ୍ଥାନ ନୁହଁ ଅଧିକାଶଂ କ୍ୱାରେଣ୍ଟାଇନ ସେଣ୍ଟରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଯାହାକୁ ନେଇ ସଂକ୍ରମଣର ଆଶଙ୍କା ସୃଷ୍ଟି ହେବାସହ ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଆମେ କେତେଦୁର ସଫଳ ହେବା ସେନଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ହାବଳେଶ୍ୱର ପଞ୍ଚାୟତର ଶାଳବଣୀ ହାଇସ୍କୁଲରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଅନ୍ତେବାସୀମାନେ ନାନା ଅସୁବିଧାରେ ଅଛନ୍ତି । ଗୋଟିଏ ରୁମରେ କେବଳ ତଳେ ଗୋଟିଏ ଗୋଟିଏ ଗଦି ପକାଯାଇଥିବାବେଳେ ତାହା ପୁଣି ୬ଇଞ୍ଚ ଦୁରତାରେ । ୫୦ରୁ ଉର୍ଦ୍ଧ ପିଲା ଏଠାରେ ଥିବାବେଳେ ଗୋଟିଏ ମାତ୍ର ପାଇଖାନା । ପାଇଖାନାରେ ପକାଇବା ପାଇଁ ଫିନାଇଲ ନାହିଁ କି ବ୍ଲିଚିଂ ପାଉଡର ମଧ୍ୟ ନାହିଁ । କିପରି ଏଠାରେ ଅନ୍ତେବାସୀମାନେ ସୁରକ୍ଷିତରେ ରହିବେ ତାହାକୁନେଇ ଅନ୍ତେବାସୀମାନେ ପ୍ରଶ୍ନ କରିଛନ୍ତି । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି ।