ଗୋପ,୦୭/୦୫ଗୋପ ଜଳସମ୍ପଦ ବିଭାଗ ଉପଖଣ୍ଡ ଅଧିନ କୁଶଭଦ୍ରା ନଦୀର ଦକ୍ଷିଣ ପାଶ୍ୱର୍ ନଦୀବନ୍ଧରେ ନିର୍ମିତ ଚାଲିଥିବା ଷୋଳପୁର ବ୍ରୀଜ ଠାରୁ ପାରିଚଢେଇ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଫଳରେ ଏଥି ନିମନ୍ତେ ମଂଜୁର ହୋଇଥିବା ୪୦ ଲକ୍ଷ ଟଙ୍କା ପାଣିରେ ପଡିବା ଆଶଙ୍କା ଦେଖାଦେଇଛି ।
ସୂଚନାଥାଉକି, ସ୍ୱାଧିନତାର ୭୩ ବର୍ଷ ପରେ ମଧ୍ୟ ଗୋପ ବ୍ଲକ ଠାରୁ ମାତ୍ର ୬ କିଲୋମିଟର ଦୂର ବନ୍ତଳିଗ୍ରାମ ପଂଚାୟତର ପାରିଚଢେଇ ଗ୍ରାମକୁ ଏକ ସବୁଦିନିଆ ରାସ୍ତା ନଥିବା ବେଳେ ଏହି ଗ୍ରାମର ଲୋକମାନେ ମୌଳିକ ସେବାରୁ ବଂଚିତ ହେଉଥିଲେ । ଏ ନେଇ ବାରମ୍ବାର ବିଭିନ୍ନ ଦପ୍ତରରେ ଅଭିଯୋଗ ହେବା ପରେ ଗତ ବର୍ଷ ଜଳସମ୍ପଦ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ୪୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ମାତ୍ର ସଂପୃକ୍ତ ଠିକାଦାର-ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ମଧୂଚନ୍ଦ୍ରିକା ଯୋଗୁଁ ଏହି କାର୍ଯ୍ୟ ମନ୍ଥର ଗତିରେ ହେବା ସହିତ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି ।
ଦାୟିତ୍ୱରେ ଥିବା ଯନ୍ତ୍ରୀ ଙ୍କ ତଦାରଖ ଅଭାବରୁ ସଂପୃକ୍ତ ଠିକାଦାର ତାର ମନଇଚ୍ଛା କାର୍ଯ୍ୟ କରୁଥିବା ବେଳେ ଅତ୍ୟନ୍ତ ନିମ୍ନମାନର ମେଟାଲ,ଡଷ୍ଟ ବ୍ୟବହାର କରୁଥିବା ବେଳେ ଅନେକ ସ୍ଥାନରେ ଡଷ୍ଟ ବଦଳରେ କଳା ମାଟି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଚୁକ୍ତି ଅନୁଯାୟୀ ଏହି କାର୍ଯ୍ୟ ହେଉନଥିବା କୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସେ ସେଥିପ୍ରତି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । କାର୍ଯ୍ୟ ସମୟରେ କୌଣସି ସରକାରୀ ଅଧିକାରୀ ନରହୁଥିବାରୁ ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିଲେ ସୁଦ୍ଧା ଦେଖିବାକୁ କେହି ନାହାନ୍ତି ।
ଫଳରେ ୪୦ ଲକ୍ଷ ଟଙ୍କା ପାଣିରେ ପଡିବା ଆଶଙ୍କା ଦେଖାଦେବାରୁ ସ୍ଥାନୀୟ ଗ୍ରାମବାସୀମାନେ ଏହାର ଉଚ୍ଚସ୍ତରୀୟ ତଦନ୍ତ ସହିତ ଭିଜିଲାନ୍ସ ତଦନ୍ତ ମଧ୍ୟ ଦାବୀ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ ମୁଁ ନିଜେ ଯାଇ ଏହାର ତଦନ୍ତ କରିବି ଯଦି ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥାଏ ତେବେ ଚୁକ୍ତି ବାତିଲ କରିବାକୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସୁପାରିସ କରାଯିବ ।