ଫୁଲବାଣୀ : କରୋନା ଲକଡାଉନ ଫାଇଦା ନେଉଛନ୍ତି ମାଫିଆ , ପରିବା ବସ୍ତାରେ ଗଂଜେଇ ଚାଲାଣ ୪ କ୍ୱିଣ୍ଟାଲ ଗଂଜେଇ ସମେତ ୨ି ଗାଡି ଜବତ
ଫୁଲବାଣୀ : ଲକଡାଉନ୍ ବେଳେ ପନିପରୀବା ବ୍ୟବସାୟୀଙ୍କ ଗାଡି ଯିବା ଆସିବା ଲାଗି କଟକଣା ନଥିବା ଯୋଗୁଁ ପନିପରୀବା ପରିବହନ ନାମରେ ଗଂଜେଇ ମାଫିଆ ମାନେ ଗଂଜେଇ ଚୋରା ଚାଲାଣ କରିବାରେ ବ୍ୟସ୍ତ । ଏଥିରେ କିଛି ପୋଲିସ ବାବୁଙ୍କ ହାତ ମଧ୍ୟ ରହିଥିବା ଜଣାପଡିଛି । ମୋଟାଅଙ୍କର ଅର୍ଥ କାରବାର କରି କିଛି ଅସାଧୁ କର୍ମଚାରୀ ଭଲଭାବେ ତନଖି ନକରି ଛାଡି ଦେଉଥିବା ଅଭିଯୋଗ ହୋଇଛି । ଯାହା କି ଗତକାଲି ସଂଧ୍ୟା ସମୟରେ ଚକାପାଦ ଅଂଚଳ ପୋଲିସ ୪ କ୍ୱାଂଟାଲ ଗଂଜେଇ ସହ ଦୁଇଟି ମାକ୍ସ ପିକଅପ୍ ଜବତ କରିଛି । ଜବତ ଗାଡି ନଂ-ଓଆର ୦୫ ଡବ୍ଲୁ ୧୦୭୭ ଓ ଓଡି ୦୫ ଏଟି ୩୩୧୦ ବୋଲି ପୋଲିସ ଏସଆଇ ତରୁଣ ତପନ ବେହେରା କହିଛନ୍ତି । କନ୍ଧମାଳ-ନୟାଗଡ ଜିଲ୍ଲା ସୀମାନ୍ତରେ ଥିବା ଚାଂଚରାପଲ୍ଲୀ ଦେଇ ଗାଡିଗୁଡିକ ଯିବା ଆସିବା କରୁଛନ୍ତି । ସୀମାକୁ ଆହୁରି କଡାକଡି କରାଯିବା ଆବଶ୍ୟକ ରହିଛି । ଚକାପାଦ ପୋଲିସ ୧୮/୨୦, ଧାରା ଏନଡିପିଏସ ୨୦(ବି), ୨(ସି)ରେ ମାମଲା ରୁଜୁ କରିବାସହ ଅଭିଯୁକ୍ତ ମହମ୍ମଦ୍ଦ ଅସବୁଲା, ଲୋକମନ ଖାନ୍, କାହ୍ନୁଚରଣ ବର୍ଦ୍ଧନ, ଭସମାନ ଖାନ୍, ଶରତ ସାହାଣୀଙ୍କୁ କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିବା ପୋଲିସ କହିଛି । ଆଠଗଡ, ତିଗିରିଆ ଅଂଚଳର ଏହି ଅଭିଯୁକ୍ତ ମାନେ ପନିପରୀବା ନାଁରେ ଫିରିଙ୍ଗିଆ ଅଂଚଳରୁ ପରିବା ସହ ଚୋରା ଗଂଜେଇ ନେଇ ଯାଉଥିଲେ । ଏଭଳି ପ୍ରତିଦିନ ପନିପରୀବା ଗାଡିରେ ଗଂଜେଇ ଚୋରା ଚାଲାଣ ହେଉଥିବା ଶୁଣିବାକୁ ମିଳୁଛି ।