କଟକ: କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି କରୋନା ସଂକ୍ରମଣ ରୋକିବା ପାଇଁ ରୋଗୀଙ୍କ ଚିକିତ୍ସା କରୁଥିବା ସରକାରୀ ଓ ଘରୋଇ ହସ୍ପିଟାଲ ଗୁଡିକରେ ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ଡିଏମଇଟିଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀ ପଦକ୍ଷେପ ଗ୍ରହଣ କରିବେ। ଏପରିକି, ସବୁ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତରଙ୍କ ନିୟୋଜନ ସୁନିଶ୍ଚିତ କରାଯିବ। ଉପଯୁକ୍ତ ଡାକ୍ତରୀ ସେବା ନ ପାଇ ଯେପରି କୌଣସି ରୋଗୀ ନ ଫେରନ୍ତି, ତାହା ସୁନିଶ୍ଚିତ କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହିଭଳି ହସ୍ପିଟାଲ ଗୁଡିକରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଯୋଗାଇ ଦିଆଯିବ ।
କରୋନା ସଂକ୍ରମଣ ଆଶଙ୍କା ନେଇ ଦେଖାଦେଇଥିବା ପରିସ୍ଥିତିରେ ସବୁ ରୋଗୀଙ୍କୁ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ସହିତ ବିଶେଷଜ୍ଞ ତଥା ଅଭିଜ୍ଞ ଡାକ୍ତର ନିୟୋଜନ କରିବା ପାଇଁ ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ପ୍ରସଂଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ମଧ୍ୟ କହିଛନ୍ତି।