Odisha news

ମହାଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଘାତକ ଭୂତାଣୁର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି

0

କରୋନା ଭୂତାଣୂ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ରୋକିବାରେ ଚୀନ ଆଉ କୋରିଆ ସଫଳ ହୋଇଛନ୍ତି ବୋଲି ବରାବର ଦାବି କରୁଆସୁଥିବାବଳେ ମହାଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଘାତକ ଭୂତାଣୁର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି ଚଳିତ ମାର୍ଚ୍ଚମାସ ପନ୍ଦର ତାରିଖ ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୨୮୦୦ରେ ପହଁଚିସାରିଛି ବୋଲି ଏକ ନିର୍ଭରଯୋଗ୍ୟ ଆକାଳନରୁ ଜଣାପଡିଛି । ଆଗାମୀ ଦୁଇ ସପ୍ତାହ ଭିତରେ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କରୋନା ଭୂତାଣୁ ସଂକ୍ରମଣ ଫଳରେ ଆମେରିକାରେ ଏଯାବତ ଷାଠିଏ ଆମେରିକୀୟ ସିଧା ଯମପୁରକୁ ଯାଇସାରିଲେଣି,ଯାହା କି ଅତ୍ୟନ୍ତ ଚିନ୍ତାଜନକ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟତଃ ପ୍ରତିଟି ରାଜ୍ୟରେ କରୋନା ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତି ନଜରକୁ ଆସୁଛନ୍ତି । କରୋନା ସଂକ୍ରମଣ ଆତଙ୍କକୁ ନେଇ ଘୋର ଚିନ୍ତାରେ ପଡିଛି ମାର୍କିନ ସରକାର । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆରମ୍ଭରେ କରୋନା ଭୂତାଣୁ ସଂକ୍ରମଣଜନିତ ଆତଙ୍କକୁ ଏକ ମିଥ୍ୟା ଗୁଜବ ବୋଲି ଦୃଢତାର ସହିତ କହିଆସୁଥିଲେ, ଯଦିଓ ପରବର୍ତ୍ତୀ କାଳରେ ସେ ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା କରିଛନ୍ତି । ଏହି କରୋନା ମୁକାବିଲା ପାଇଁ ମାର୍କିନ ପ୍ରଶାସନ ପକ୍ଷରୁ ଏବେ ଜୋରଦାର ପଦକ୍ଷେପ ଗ୍ରହଣ କରାଯାଉଥିବା ଶୁଣିବାକୁ ମିଳୁଛି ।
କରୋନା ଭୂତାଣୁ ସଂକ୍ରମଣରେ ସର୍ବାଧିକ ଭାବେ ପ୍ରଭାବିତ ହୋଇଥିବା ଆମେରିକା ଇଲାକାଗୁଡିକ ମଧ୍ୟରେ ରହିଛନ୍ତି କାର୍ଲିଫନିଆ, ଓା୍ୱସିଙ୍ଗଟନ ରାଜ୍ୟ ଓ ନ୍ୟୁୟର୍କ ଆଦି ସହର ଯେଉଁଠି କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ତୀବ୍ର ଗତିରେ ବଢିଚାଲିଛି । ଆମେରିକାରେ ପ୍ରାୟତଃ ସବୁ ବଡ ବଡ ବିଶ୍ୱବିଦ୍ୟାଳୟଗୁଡିକରେ ତାଲା ପଡିସାରିଲାଣି । ଅନ୍ୟ ସବୁ ବିଶ୍ୱବିଦ୍ୟାଳୟରେ ଅନଲାଇନ ଜରିଆରେ ପାଠପଢାର ପ୍ରାବଧାନ କରାଯାଇଛି । ବିଦେଶାଗତ ଛାତ୍ରମାନଙ୍କୁ ନିଜ ନିଜର ଘରକୁ ଫେରିଯିବାକୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାବାଦ,ବିଶ୍ୱ ବିଦ୍ୟାଳୟର ସମସ୍ତ ଛାତ୍ରାବାସକୁ ଖାଲି କରାଯାଇଛି । ଦିନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ଘର ଭିତରେ ଆବଦ୍ଧ ରହିବାକୁ ସତର୍କ କରାଯାଉଛି ବିଦେଶାଗତ ଛାତ୍ରଛାତ୍ରୀମାନଙ୍କୁ । ଏବେ ସହରର ରାସ୍ତାଘାଟ ଓ ଗଳିକନ୍ଦି ଯେମିତି ଖାଁ ଖାଁ ଲାଗୁଛି । ପଦଚାରୀଟିଏ ଆଉ ଜଣକୁ ଦେଖି ସାମନାସାମନି ହେବା ପରିବର୍ତ୍ତେ ମୁହଁ ବୁଲେଇ ଚାଲିଯାଉଛି ନିଜ ନିଜର ବାଟରେ । ସାମନାରେ ଥିବା ଲୋକଟି ଯେ କରୋନା ଭୂତାଣୁ ଆକ୍ରାନ୍ତ ସେଇ ଧାରଣା ପଥିକଟି ମନରେ ସ୍ୱତଃ ସୃଷ୍ଟି ହେବାରେ ଲାଗିଛି । ଆମେରିକାରେ ଲୋକେ ଆଗେ ପରସ୍ପରକୁ ଭେଟିବା ମାତ୍ରକେ ଓଠରେ ମୁରୁକା ହସ ଝରାଇ ଭଲମନ୍ଦ ଦି ପଦ କଥାବାର୍ତ୍ତା ହେଉଥିଲେ । ଏବେ କିନ୍ତୁ ସେ ଆଚାର ବ୍ୟବହାର,ଚାଲିଚଳଣିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ୟା ପଛର କାରଣ ସାଜିଛି ଆମେରିକାର ଅବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା । ବିଗତ ତିନି ବର୍ଷ ମଧ୍ୟରେ ଆମେରିକାରେ ସ୍ୱାସ୍ଥ୍ୟସେବା ବେହାଲ ସ୍ଥିତିରେ ରହିଛି । ସ୍ୱାସ୍ଥ୍ୟବୀମା ବିନା ଜୀବନ ଜଇଁବା ସେଠି କୋଠିକର ପାଠ । ଆମେରିକାରେ ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବୋଲି କୌଣସି ମୌଳିକ ସୁବିଧା ତଥା ବ୍ୟବସ୍ଥା ନାହିଁ । ସେ ବଡ ହେଉ କି ଛୋଟ ସବୁ ଡାକ୍ତରଖାନାରେ କେବଳ ଘରୋଇ ସ୍ୱାସ୍ଥ୍ୟସେବାର ପ୍ରାବଧାନ ।
କହିବା ନଷ୍ଟ୍ରୟୋଜନ ଯେ, ସ୍ୱାସ୍ଥ୍ୟବୀମା ବିନା ରୋଗ ଚିକିତ୍ସା ଅସମ୍ଭବ । ଗରିବ ଅଭାବୀ ଲୋକେ ଛୋଟ ମୋଟ ରୋଗରେ ଆକ୍ରାନ୍ତ ହେବା ଏକ ସାଧାରଣ କଥା । ରୋଜଗାର ପ୍ରମାଣପତ୍ର ଦେଖାଇ ଯେଉଁ ଉପଚାର ବା ଚିକିତ୍ସା କରାଯାଏ ସେଥିରେ ବି ପଇସା ଖର୍ଚ୍ଚ ହୁଏ । ସେଠାରେ କାହାକୁ ଡାକ୍ତରଖାନାରେ ଭର୍ତ୍ତି କରିବାର ସୁବିଧା ମିଳେନା । ସ୍ୱାସ୍ଥ୍ୟବୀମା ଥାଇ ସୁଦ୍ଧା ପିଲା ଜନ୍ମର ଆରମ୍ଭରୁ ଶେଷଯାଏ ପାଖାପାଖି ଚାରିହଜାର ଡଲାର ପର୍ଯ୍ୟନ୍ତ ନିଜ ପକେଟରୁ ଖର୍ଚ୍ଚ କରିବାକୁ ପଡେ ମା ବାପାଙ୍କୁ । ସ୍ୱାସ୍ଥ୍ୟବୀମା ବାବଦ ଦୁଇ ହଜାରକୁ ବ୍ୟତୀତ ଏହି ଖର୍ଚ୍ଚକୁ ବହନ କରିବାକୁ ହୁଏ । ପିଲାଟିଏ ସେଠି ଜନ୍ମ ହେବା ପରେ ସଙ୍ଗେସଙ୍ଗେ ତାର ସ୍ୱାସ୍ଥ୍ୟବୀମା ପୃଥକ ଭାବେ କରିବାକୁ ପଡେ । ଅଧିକିନ୍ତୁ ସେଠିକାର ପିଲାଟିକୁ ଟୀକା ଦେବାଟା ବି ମାଗାଣ ନୁହେଁ । ସ୍ୱାସ୍ଥ୍ୟବୀମା ବିନା ପିଲାଟିକୁ ମାଗାଣାରେ ଟୀକା ଦିଆଯାଇପାରିବ ନାହିଁ । ପିଲା ବୀମାଯୁକ୍ତ ହେବା ନିହାତି ବାଧ୍ୟତାମୂଳକ । ମାତ୍ର ଆମେରିକାର ଅଧିକାଂଶ ଲୋକଙ୍କ ପାଖରେ କୌଣସି ସ୍ୱାସ୍ଥ୍ୟବୀମା ନ ଥାଏ । ଯଦି ସେଠିକାର ଜଣେ ଲୋକ ଉତ୍କଟ ବେମାରିରେ ପଡିଯାଏ ଡାକ୍ତରୀ ଖର୍ଚ୍ଚ ଉଠାଇବା ପାଇଁ ରୂଣଜାଲରେ ଛନ୍ଦି ହେବାକୁ ଏକରକମ ବାଧ୍ୟହୁଏ । ସୁତରାଂ,କରୋନା ଭଳି ସଂକ୍ରମଣଜନିତ ରୋଗରୁ ମୁକୁଳିବା ପାଇଁ ସେଠିକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେ ଏକଦମ ଅନୁପଯୋଗୀ ଏହା ନିଃସନ୍ଦେହରେ କୁହାଯାଇପାରେ ।
ଭାରତ ଓ ଚୀନରେ ସରକାରୀ ଡାକ୍ତରଖାନାଗୁଡିକର ଏବ ବିରାଟ ନେଟୱାର୍କ ରହିଛି,ଯେଉଁଠି ଅଧିକାଂଶ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁଁ ଅନୁଭବସମ୍ପନ୍ନ ତଥା ସୁଦକ୍ଷ ଡାକ୍ତରମାନେ ମିଳିଥାନ୍ତି । ଆମେରିକାର ଡାକ୍ତର ଦିନକରେ ଯେ ଶହେ ପାଖାପାଖି ରୋଗୀଙ୍କୁ ପରୀକ୍ଷା କରି ଚିକିତ୍ସା କରିବ ଏହା ଭାବିବା ଆଦୌ ସମ୍ଭବପର ନୁହେଁ । ସୂଚନାଯୋଗ୍ୟ,କରୋନା ଭୂତାଣୁ ପିଡିତଙ୍କୁ ପରୀକ୍ଷା ଓ ଚିକିତ୍ସା ବାବଦରେ ଆମେରିକା ଡାକ୍ତରଙ୍କ ଫିସ ହେଲା ତେରଶହ ଡଲାର । ଏବେ ସେଠାରେ କରୋନା ରୋଗୀ,ବିଶେଷକରି ଯାହାଙ୍କ ପାଶେ ସ୍ୱାସ୍ଥ୍ୟବୀମା ନାହିଁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ କରାଯିବ ବୋଲି ମାର୍କିନ ସରକାର ଘୋଷଣା କରିଛନ୍ତି । ତତ୍କାଳୀନ ରାଷ୍ଟ୍ରପତି ଓବାମଙ୍କ ଦ୍ୱାରା ପ୍ରତିଷ୍ଠିତ ଓବାମାକେୟାର ସେଠିକାର ପ୍ରତ୍ୟେକ ନାଗରୀକ ପାଇଁ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥାକୁ ସହଜ, ସୁଗମ କରିବା ଦିଗରେ ଏକ ଫଳପ୍ରଦ ତଥା ସଫଳ ପ୍ରୟାସ । ତେବେ ୟୁରୋପ ଓ କାନାଡା ଭଳି ଏକ ଜନମଙ୍ଗଳ ରାଷ୍ଟ୍ର ଭାବେ ସ୍ୱାସ୍ଥ୍ୟସେବାର ସମ୍ପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବାକୁ ଆମେରିକା ସରକାର ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ ।
ଏବେ ଆମେରିକା ସାରା ଯେମିତି କରୋନା ସଂକ୍ରମଣର ଅଜଣା ଆତଙ୍କ ଓ କୋକୁଆ ଭୟ । ଏଥିପାଇଁ ସତର୍କତାମୂଳକ ପଦକ୍ଷେପସ୍ୱରୂପ ସମଗ୍ର ଦେଶକୁ ଲକଡାଉନ କରାଯିବାକୁ ନିର୍ଦ୍ଦେଶନାମ ଜାରି କରାଯାଇଛି ଲକଡାଉନ କରାଯିବାର ତାତ୍ପର୍ଯ୍ୟ ହେଲା ଅତି ଜରୁରୀ କାର୍ଯ୍ୟକୁ ଛାଡି ଅନ୍ୟ କାମରେ ଘରୁ ଗୋଡକାଢି ପଦାକୁ ବାହାରିବା ଓ ରାସ୍ତାଘାଟରେ ଯାଆଆସ କରିବା ଉପରେ କଠୋର କଟକଣା । ଏହି ଘଡିସନ୍ଧି ମୂହୁର୍ତ୍ତରଲେ ୟୁରୋପ ମହାଦେଶର ଅଧିକାଂଶ ଦେଶ ଏହି ଲକଡାଉନ ସ୍ଥିତି ଦେଇ ଗତି କରୁଛନ୍ତି । ଖାସକରି ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ପୀଡିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିଲେ ସେଠି ଲକଡାଉନ ଜାରି ହେବା ନିହାତି ଜରୁରୀ । ତେବେ ଆମେରିକା ସ୍ୱାସ୍ଥ୍ୟବୀମା ବ୍ୟବସ୍ଥାରେ ଭୟଙ୍କର ଦୋଷତ୍ରୁଟି ରହିଥିବା ଲକ୍ଷ କରାଯାଏ । ଭାରତ ଭଳି ଦେଶରେ ଯଦି ଆମେରିକାର ସ୍ୱାସ୍ଥ୍ୟବୀମା ମଡେଲ ଉଣାଅଧିକେ ଲାଗୁ କରାଯାଏ ତେବେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେ ଅଚିରେ ଭୁଶୁଡିଯିବ,ଏଥିରେ ସନ୍ଦେହ ନାହିଁ ।

Nalco

Leave A Reply