ମୁମ୍ବାଇ: କ୍ରିକେଟ୍ ତାରକା ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଏବେ କ୍ରିକେଟ୍ ଜର୍ସିରେ ଦେଖିବାକୁ ମିଳିଛି। ଆପଣ ହୁଏତ ଭାବୁଥିବେ ଯେ ଜଣେ ଅଭିନେତ୍ରୀଙ୍କର କ୍ରିକେଟ୍ ଜର୍ସି ପିନ୍ଧିବାର କ’ଣ ଆବଶ୍ୟକତା ପଡ଼ିଲା? ଏହା ବି ତାଙ୍କ ଅଭିନୟର ହିଁ ଏକ ଅଂଶ। ଆପଣ ଜାଣିଥିବେ ଯେ ବିରାଟଙ୍କ ପତ୍ନୀ ଅନୁଷ୍କା ପରଦାରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟିକା ଝୁଲନ ଗୌସ୍ବାମୀଙ୍କ ଭୂମିକା ନିଭାଇବାକୁ ଯାଉଛନ୍ତି। ଝୁଲନ ଗୋସ୍ବାମୀଙ୍କ ଆତ୍ମଜୀବନୀ ଉପରେ ହେବବାକୁ ଥିବା ଚଳଚ୍ଚିତ୍ରରେ ତାଙ୍କ ଭୂମିକା ନିଭାଉଛନ୍ତି ଅନୁଷ୍କା।
ଫଟୋରେ ଅନୁଷ୍କା କୋଲକାତାର ଇଡେନ୍ ଗାର୍ଡେନରେ ଗୋସ୍ବାମୀଙ୍କ ସହ ଚାଲୁଥିବାର ଦେଖିବାକୁ ମିଳିଛନ୍ତି। କେହି କେହି ଏହାକୁ ଚଳଚ୍ଚିତ୍ରର ବିଜ୍ଞାପନ ବୋଲି କହିଥିବା ବେଳେ ଆଉ କେହି ଏହାକୁ ପ୍ରୋମୋ ସୁଟ୍ ବୋଲି କହିଥିବାର ଜାଣିବାକୁ ମିଳିଛି। ଫଟୋରେ ଅନୁଷ୍କା ଟିମ୍ ଇଣ୍ଡିଆର କ୍ରିକେଟ୍ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି। ତାଙ୍କ କଡ଼ରେ ଝୁଲନ୍ ଗୋସ୍ବାମୀ ଡେନିମ୍ ଜିନ୍ସ ଓ ଜ୍ୟାକେଟ୍ ପିନ୍ଧିଥିବାର ଦେଖିିବାକୁ ମିଳିଛନ୍ତି।
ବଲିଉଡ୍ ହଙ୍ଗାମାର ରିପୋର୍ଟ ମୁତାବକ, ଅନୁଷ୍କା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ସୁଟ୍ କରିଥିବା ବେଳେ ପରବର୍ତ୍ତୀ ସୁଟ୍ ଜାନୁଆରି ୨୫ ତାରିଖରେ କରିବାକୁ ସ୍ଥିର ହୋଇଛି।
ଅନୁଷ୍କାଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ତାପସୀ ପାନ୍ନୁ ବି ଅଭିନୟ କରିବେ । ଶେଷ ଥର ପାଇଁ ଅନୁଷ୍କା ‘ଜିରୋ’ ଚଳଚ୍ଚିତ୍ରରେ ନଜର ଆସିଥିଲେ, ଯାହାକି ବକ୍ସ ଅଫିସ୍ରେ ସେତେଟା ସଫଳତା ପାଇ ପାରି ନଥିଲା।
ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ କ୍ରିକେଟ୍ର ପ୍ରେମିକ ବିରାଟ କୋହଲିଙ୍କୁ ଇଟାଲିରେ ବିବାହ କରିଥିଲେ। ସେ ଦୁହେଁ ବିବାହକୁ ନେଇ ବେଶ୍ ଚର୍ଚ୍ଚିତ ହୋଇଥିଲେ।