ମହାପ୍ରଭୁଙ୍କ ସମସ୍ତ ପାଣ୍ଠିକୁ ଘରୋଇ ବ୍ୟାଙ୍କରେ ରଖିବା ପ୍ରସଙ୍ଗ : ୬କୋଟି ରଖିଲେ ବିଦେଶ ଟୁର୍, ୬୦୦ କୋଟିରୁ କାହାକୁ କେତେ? ତମ୍ବିତୋଫାନ ପରେ ବି ମୁହଁ ଲୁଚାଉଛି ମନ୍ଦିର ପ୍ରଶାସନ
ପୁରୀ : ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ସମସ୍ତ ପାଣ୍ଠିକୁ ଏସ୍ ବ୍ୟାଙ୍କ ନାମକ ଏକ ଘରୋଇ ଜମା ରଖିବା ଘଟଣାକୁ ନେଇ ଏବେ ସନ୍ଦେହର ବାତାବରଣ ତିଆରି ହୋଇଛି। ଗତ ୪ ଦିନ ହେବ ଏ ଖବର ଗଣମାଧ୍ୟମର ଶିରୋନାମାରେ ରହିବା, ବିରୋଧୀମାନେ ପ୍ରଶାସନକୁ ଘେରିବା, ଶ୍ରୀମନ୍ଦିର ପ୍ରଶାସନକୁ ପରିଚାଳନା କମିଟି ସଦସ୍ୟଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ମହାପ୍ରଭୁଙ୍କ ପାଣ୍ଠିକୁ ଘରୋଇ ବ୍ୟାଙ୍କକୁ ଟେକି ଦେବାକୁ ନେଇ ନିନ୍ଦା କରିଛନ୍ତି। ମାତ୍ର ଏ ଘଟଣାରେ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ଚାଟାର୍ଡ ଆକାଉଣ୍ଟାଣ୍ଟ କିନ୍ତୁ ମୁହଁ ଲୁଚାଉଛନ୍ତି। ଏ ନେଇ ସେମାନେ ନା ସ୍ପଷ୍ଟୀକରଣ ରଖୁଛନ୍ତି ନା ସାମ୍ନାକୁ ଆସୁଛନ୍ତି। ପ୍ରସଙ୍ଗକୁ ଏଡାଇବାକୁ ଉଦ୍ୟମ କରୁଛନ୍ତି। ଏହି ଘଟଣାରେ ସିଧାଳସଖ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି।
ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ବିଭାଗ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ନେଇ ମୁହଁ ଖୋଲୁନାହାନ୍ତି। ଯଦି ଅଧିକ ସୁଧ ଆଶାରେ ସେମାନେ ଟଙ୍କା ରଖିଥିଲେ ତେବେ ପୁନର୍ବାର ଅବଧି ପୂର୍ବରୁ ସାନି ଟେଣ୍ଡର କରି ପ୍ରଶାସନ ସନ୍ଦେହ ଘେରକୁ ଆସିଛି। ଟଙ୍କା କାରବାରରେ ସଂପୃକ୍ତ ଅଧିକାରୀଙ୍କ ବ୍ୟାଙ୍କ କାରବାର, ବିଦେଶ ଗସ୍ତ ଓ ଅନ୍ୟ ବିବରଣୀକୁ ତଦନ୍ତକୁ ନେଲେ ବହୁ ରହସ୍ୟ ଉନ୍ମୋଚନ ହେବ ବୋଲି ଜଣାପଡିଛି।