Odisha news

ହାଇୱା ଚକା ତଳେ ଗଲା ଯୁବକଙ୍କ ଜୀବନ

0

ତିହିଡି,୨୨/୦୪(ଯଦୁମଣି ପାଣିଗ୍ରାହୀ): ଭଦ୍ରକ-ଚାନ୍ଦବାଲି ରାସ୍ତାର ବିନ୍ଧାବଜାର ଠାରୁ କିଛି ଦୂରରେ ଆଜି ସକାଳ ପ୍ରାୟ ୮-୩୦ ସମୟରେ ଏକ ହାଇଓ୍ା ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତ ଯୁବକ ହେଉଛନ୍ତି ଉତ୍ତମ କୁମାର ଶଙ୍ଖୁଆ(୨୪) । ତାଙ୍କ ଘର ପୀରହାଟ ଥାନା ଅନ୍ତର୍ଗତ ସାହାପୁର ପଞ୍ଚାୟତର କଣ୍ଡରଗଢିଆ ଗାଁରେ ବୋଲି ଜଣାଯାଇଛି । ସୂଚନା ଅନୁସାରେ ଉତ୍ତମ ସକାଳେ ଏକ ବାଇକ ଯୋଗେ ନିଜ ଭଉଣୀଙ୍କୁ ତିହିଡି କଲେଜରେ ଛାଡି ଘରକୁ ଫେରୁଥିଲେ । ବିନ୍ଧବଜାର ଠାରୁ କିଛି ଦୂରରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉତ୍ତମ ରାସ୍ତା ଉପରକୁ ଛିଟିକି ପଡିଥିଲେ । ଏହି ସମୟରେ ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ ହାଇୱା (ନଂ-ଓଡି୦୪ଜେ-୯୬୪୪) ଉତ୍ତମ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୋଲିସ ଏହି ଘଟଣାରେ ଏକ ମାମଲା ନଂ-୯୯/୨୫ ରୁଜୁ କରିବା ସହିତ ଗାଡିଟିକୁ ଜବତ କରିଛି । ଏଥି ସହିତ ମୃତ ଯୁବକଙ୍କର ଶବକୁ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ପଠାଇଥିବା ଜଣାଯାଇଛି ।

Leave A Reply