ନୂଆପଡ଼ା -୨୧/୪ (ସୁରେନ୍ଦ୍ର ତିୱାରୀ) : ଆଜି ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାର୍ଷୀରାଣୀ ପୂର୍ତ୍ତି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ ଯୋଗେଶ୍ଵର ଭୋଇ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଗୁରୁ ପ୍ରସାଦ ଜେନା,ବ୍ଲକ୍ ଅଧ୍ୟକ୍ଷା ମାଧୁରୀ ମାଝୀ, ବିଡ଼ିଓ କାର୍ମୀ ଓରାମ , ତହସିଲଦାର ଉପାଞ୍ଜଳୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟୀ କଲେକ୍ଟର ହେମନ୍ତ ପୁଟା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ନୂଆପଡାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ସମାଧାନରେ ସାମିଲ ହୋଇଥିଲେ । ଉକ୍ତ ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ଗ୍ରାମ ଗୁଡିକରୁ ୮୩ ଗୋଟି ବିଭିନ୍ନ ସମସ୍ୟା ଆଧାରିତ ଅଭିଯୋଗ ଶୁଣାଣି ହୋଇଥିଲା। ଶିବିରରେ ୭ ଜଣଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ୱୀକୃତି ଶିରୋନାମା, ୩ ଟି ଗୋଷ୍ଠୀ ଜଙ୍ଗଲ ଅଧିକାର ଓ ୨ଟି ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପଟ୍ଟା ପ୍ରଦାନ କରାଗଲା ।ପରେ ପରେ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଗୋର୍ଲା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ନିମିତ୍ତ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା l ଏଠାରେ ଜନସାଧାରଣଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ସେହିପରି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ୨୫ ଟି ବଡ଼ ଏବଂ ୭୮ ଟି ଛୋଟ ମୋଟ ୧୦୩ଟି ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା କରା ଯାଇଥିଲା ।