ନୂଆପଡ଼ା -୨୧/୩ (ସୁରେନ୍ଦ୍ର ତିୱାରୀ) ଜଳ ହିଁ ଜୀବନ, ପ୍ରାରମ୍ଭ ହୋଇଛି ଗ୍ରୀଷ୍ମ ଋତୁ । ଜିଲ୍ଲା ର ଅନେକ ସ୍ଥାନରେ ଥିବା ନଦୀ ନାଲ ଗାଡିଆ ପୋଖରୀ ଶୁଖିଲା ପଡ଼ିଥିବା ଦେଖିବାକୁ ମିଳୁଛି ଏ ମାର୍ଚ୍ଚ ମାସ ଶେଷ ସପ୍ତାହ ବେଳକୁ। ଜଳ ବୁନ୍ଦାଏ ପାଇବା ପାଇଁ ଲୋକ ଙ୍କୁ ଏବେ ଠାରୁ ଡହଳ ବିକଳ ହେବା ଆରମ୍ଭ ହୋଇଯାଇଛି। ଆଗକୁ ଆହୁରି ଟାଣ ଖରା ସାଙ୍ଗକୁ ରୌଦ୍ରତାପରେ ଜନ ଜୀବନ ଅସ୍ତବ୍ୟସ୍ତ ହେବା ଆଶଙ୍କା ରହିଛି ।ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳ ର ଜୀବନ ରେଖା ଉଦନ୍ତୀ ନଦୀ ରୁ ଆଉ ଧାର ବୋହୁନି। ଯାହା ଫଳରେ ନଦୀ କୂଳିଆ ଅଞ୍ଚଳର ଲୋକେ ଜଳ କଷ୍ଟ ର ସମ୍ମୁଖୀନ ହେବା ଆଶଙ୍କା ରହିଛି। ନଦୀ ରେ ବଡ଼ ବଡ଼ ଚହଲା ସ୍ଥାନେ ସ୍ଥାନେ ଖୋଲିବା ପାଇଁ ପ୍ରଶାସନ ତରଫରୁ ଉଦ୍ୟମ ଜାରି ରଖିବା ପାଇଁ ଅଞ୍ଚଳ ର ଜନସାଧାରଣ ମହଲରେ ମତ ପ୍ରକାଶ ପାଇଛି। ସୁଦୂର ଛତିଶଗଡ଼ ଅଞ୍ଚଳରୁ ପ୍ରବାହିତ ହୋଇ ଏହି ନଦୀ ଟି ସିନାପାଲି ବ୍ଲକ ର ବଣ ପାହାଡ ଘଞ୍ଚ ଜଙ୍ଗଲ ଘାଟମାଳ ଗ୍ରାମପଞ୍ଚାୟତ ର ସିନ୍ଦୂରଶିଲ-ଚିତାରମା ନିକଟରେ ମିଶିଛି । ଧିରେ ଧିରେ କାୟା ବିସ୍ତାର କରି ବିଭିନ୍ନ ଜଙ୍ଗଲ ଅନେକ ଗ୍ରାମ ଦେଇ ପ୍ରବାହିତ ହେଉଛି। ଯାହା ଫଳରେ ଏହି ଅଞ୍ଚଳ ର ଜନସାଧାରଣ ନିତ୍ୟକର୍ମ ସାଙ୍ଗକୁ ଶୋଷ ମେଣ୍ଟାଇଥାନ୍ତି । ଜଙ୍ଗଲ ର ପଶୁ ପକ୍ଷୀ ମଧ୍ୟ ତୃଷ୍ଣା ମେଣ୍ଟାଇ ଜୀବନ ଧାରଣ କରନ୍ତି। ଏପରିକି ନଦୀ କୂଳିଆ ଅଞ୍ଚଳର ଲୋକେ ଖରା ଦିନିଆ ବିଭିନ୍ନ ଚାଷ କରନ୍ତି ଓ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ ମଧ୍ୟ କରନ୍ତି। ହେଲେ ଉଦନ୍ତୀ ନଦୀ ରୁ ଜଳ ଧାର ବନ୍ଦ ହେବା ଫଳରେ ନଦୀ କୂଳିଆ ଲୋକେ ଓ ବନ୍ୟଜନ୍ତୁ ,ପଶୁ ପକ୍ଷୀ ପ୍ରଭାବିତ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ଏହି ନଦୀ ଉପରେ ବିଶେଷ ଭାବରେ ଉପାନ୍ତ ଘାଟମାଳ, ସିନ୍ଦୂରଶିଲ, ଚିତାରମା, ନଙ୍ଗଲଘାଟ, ଜାମବାହାଲି, ଡୁମେରବାହାଲ, ଗୋର୍ଲା, କଇଁଟପଦର, ଖଇରପଦର, ଘୁଚାଗୁଡା, ନିଲଜୀ, ଗଡରାମାଲ, କାପଶି, ବରଗାଁ, ନଦୀଗାଁ, କପିଆ, ଲିଆଡ ସମେତ ସଦର ସିନାପାଲି ସହର ଅଞ୍ଚଳ ର ଲୋକେ ଉଦନ୍ତୀ ନଦୀ ଉପରେ ନିର୍ଭର କରନ୍ତି। ଏପରିକି ଏହି ନଦୀରେ ଅନେକ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରଯାଇଛି । ଏଠାରୁ ଅନେକ ଗାଁ ଗଣ୍ଡା କୁ ପ୍ରକଳ୍ପ ଜରିଆରେ ଜଳ ଯୋଗାଣ ହେଉଛି। ବର୍ତ୍ତମାନ ଏହି ପ୍ରକଳ୍ପ ର ଜଳ ସ୍ତର ମଧ୍ଯ ନିମ୍ନ ଗାମୀ ହୋଇ ଶୁଖିବା ଆରମ୍ଭ ହୋଇଛି । ଯାହା ଫଳରେ ଜଳ ସଙ୍କଟ ଦେଖା ଦେବାର ଆଶଙ୍କା ରହିଛି । ଏଣୁ ଜନସାଧାରଣ ଜଳ ର ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଅନେକ ସମୟରେ ସିନାପାଲି ସହର ସମେତ ଅନେକ ଗାଁ ଗଣ୍ଡା ଗୁଡିକରେ ଅହରହ ଷ୍ଟାଣ୍ଡ ପୋଷ୍ଟ ରୁ ପାଣି ନିସ୍କାସନ ହେଉଥିବା ବେଳେ ଅନେକ ସ୍ଥାନରେ ପାଇପ୍ ଫାଟି ଗାଁ ଦାଣ୍ଡ ରେ ବୋହୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇ ପଡ଼ିଛି ।ବର୍ତ୍ତମାନ ଅଞ୍ଚଳ ରେ ଟାଣ ଖରା ଯୋଗୁଁ ନଈ, ନାଲ, ଗାଡିଆ, ପୋଖରୀ ସମେତ ଅନେକ ଜଳାଶୟ ସୁଖି ପଡ଼ିଥିବା ବେଳେ ଲୋକେ ଜଳ କଷ୍ଟ ର ସମ୍ମୁଖୀନ ହେବା ପୂର୍ବରୁ ପ୍ରଶାସନ ସଜାଗ ରହିବା ଜରୁରୀ ହୋଇ ପଡ଼ିଛି। ପ୍ରକାଶ ଯୋଗ୍ୟ ଯେ, ଉଦନ୍ତୀ ନଦୀ ସୁଦୂର ଛତିଶଗଡ଼ ଅଞ୍ଚଳ ରୁ ବାହାରି ସିନାପାଲି ବ୍ଲକ ଘାଟମାଳ ଗ୍ରାମପଞ୍ଚାୟତ ର ସିନ୍ଦୂରଶୀଳ ଦେଇ ପ୍ରବାହିତ ହୋଇ କାଳକ୍ରମେ ଏହି ନଦୀ କାୟା ବିସ୍ତାର କରି ସିନାପାଲି ଅଞ୍ଚଳ ର ସିଂହ ଭାଗ ଦେଇ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳ ରେ ମିଶିଛି। ଏ ସଂପର୍କ ରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ନଜର ରଖିଛି। ଲୋକଙ୍କୁ ଜଳ ର ସୁବିନିଯୋଗ କରିବା ସହ ବୁଝାଯାଉଛି। ଜିଲ୍ଲା ସ୍ତର ରେ ଜିଲ୍ଲାପାଳ ମଧ୍ଯ ବାରମ୍ବାର ବୈଠକ ଡାକି ଆଲୋଚନା କରୁଛନ୍ତି ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ରହିଛି ବୋଲି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ କେଶବ ସାହୁ ପ୍ରକାଶ କରିଛନ୍ତି।