Odisha news

ଗୋଡାଳ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
ନୁଆପଡ଼ା -୧୭/୩ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଗୋଡାଳ ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା  ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ  ଖରୀଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା  ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଡ଼ିଓ କର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ , ସ୍ଥାନୀୟ ସରପଞ୍ଚ ମୀନା ଜଗତ, ସମିତି ସଭ୍ୟ ପଙ୍କଜିନି ବାଗ, ସିଂହଝର  ସରପଞ୍ଚ କଅଁର ବାଗ, ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ପୁଷ୍ପ ରଞ୍ଜନ ସାହୁ , ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ମେହେର ,  ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା, ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ସମୀର ମୁଦୁଲି, ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ କୃଷ୍ଣ ଚନ୍ଦ୍ର ମଲ୍ଲିକ ପ୍ରମୁଖ  ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା  ବିଭିନ୍ନ ବିଭାଗୀୟ  ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ। ପାଲାଗୁରୁ ଭଗବାନ ସୁନାନୀ ଓ ସାଥୀ ଦାଦନ ସଚେତନତା ଏବଂ ପରିବେଶ ସୁରକ୍ଷା ଉପରେ ପାଲା ପରିବେଷଣ କରିଥିଲେ। ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ ଗୋଡାଳ ପଞ୍ଚାୟତକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଆହ୍ଵାନ ଦେଇଥିଲେ। ଠକ ବେଆଇନ୍ ଶ୍ରମିକ ଦଲାଲ ମାନଙ୍କ ବିରୁଦ୍ଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଥିଲେ।
ଏହି ପଞ୍ଚାୟତର ଦୁଇ ଗୋଟି ପରିବାର ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ତିନି ସହ ଦିନରୁ ଅଧିକ ଶ୍ରମ ଦାନ କରି ଲକ୍ଷପତି ହୋଇଥିବାରୁ କୀର୍ତ୍ତନ ଧାକଡ ଏବଂ ଗୋରେଖ ମାଝୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉପଢୌକନ, ପୁଷ୍ପ ଗୁଚ୍ଛ ଓ କୋଡ଼ି କୋଦାଳ , ଗାମଲା ଦେଇ କରତାଳି ମଧ୍ୟରେ ସମ୍ବର୍ଦ୍ଧିତ କରଯାଇଥିଲା । ଶେଷରେ ସ୍ଥାନିୟ ସରପଞ୍ଚ ମୀନା ଜଗତ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ଶହ ଶହ ସଂଖ୍ୟାରେ ମହିଳା ତଥା ଜନ ସାଧାରଣ ଯୋଗ ଦେଇଥିଲେ ।ପୂର୍ବରୁ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଗୋଡାଳ ଗାଁର ନବଜାତକ ଶିଶୁ କନ୍ୟା କିର୍ତ୍ତୀ , ପିତାମାତା ମୁକେଶ ପଟେଲ୍ ଓ ପୁଷ୍ପା ପଟେଲ୍ ଘରକୁ  ଜିଲ୍ଲାପାଳ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହିତ ଯାଇ ନବ ଜାତକକୁ କୋଳରେ ଧରି ତାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ  ।  କନ୍ୟାର ବାପା ମାଙ୍କୁ ଉପହାର ପ୍ରଦାନ କରି ସେମାନଙ୍କ ଦ୍ୱାରା ନୂତନ ବୃକ୍ଷ ରୋପଣ କରାଇଥିଲେ  l  ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଭେଟି ଦେଇଥିଲେ l  ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ଗୋଡାଳ ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ଏହାକୁ  ସିନାପାଲି ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ପ୍ରୋଗ୍ରମ୍ ଅଫିସର୍ ନମିତା ପାଢ଼ୀ, ସିନାପାଲି ସିଡିପିଓ ପ୍ରମୁଖ ଅୟୋଜନ କରିଥିଲେ।
Leave A Reply