ନୁଆପଡ଼ା -୨/୨ (ସୁରେନ୍ଦ୍ର ତିୱାରୀ) ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପୁନର୍ଗଠନ ନିଷ୍ପତିକୁ ବିରୋଧ କରି ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ର ମହିଳାମାନେ ତୀବ୍ର ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବା ସହ ଜୋରଦାର ପ୍ରତିବାଦ କରିଛନ୍ତି । ଜୀବନର ଅଧାରୁ ଅଧିକ ସମୟ ମିଶନ ଶକ୍ତିରେ କାମ କରିବା ପରେ ଏବେ ସରକାର ପୁର୍ନଗଠନ ଆଳରେ ସେମାନଙ୍କୁ ହଟାଇ ଦେବାକୁ ପ୍ରୟାସ କରୁଛନ୍ତି ଓ ଦରକାର ବେଳେ କାର୍ଯ୍ୟରେ ଲଗାଇ ଏବେ ଅନାବଶ୍ୟକ ଭାବରେ ସେମାନଙ୍କୁ ଅଲୋଡ଼ା ବୋଲି ଭାବୁଛନ୍ତି କହି ଅଭିଯୋଗ କରିଛନ୍ତି। ନୂଆପଡା ଠାରେ ଜିଲ୍ଲା ମିଶନ ଶକ୍ତି ମହାସଂଘର ଶତାଧିକ ସଦସ୍ୟା ଦାବି ନେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଦାବି ସମ୍ମିଳିତ ସ୍ଲୋଗାନ ଦେଇ ନୂଆପଡ଼ା ଜିଲ୍ଲା ସଦର ମହକୁମା ପରିକ୍ରମା କରି ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ରେ ମିଶନ ଶକ୍ତି ଅଧିନସ୍ଥ ଓଡ଼ିଶା ଜୀବିକା ମିଶନ ର ମହିଳାମାନେ ଏକାଠି ହୋଇ ତାଙ୍କ ଦାବୀ ପତ୍ର ରେ ନିମ୍ନୋକ୍ତ ଦାବୀ ଉଲ୍ଲେଖ କରିଛନ୍ତି। ମିଶନ ଶକ୍ତି ବିଭାଗ ଜାରି କରାଯାଇଥିବା ନୂତନ ନିୟମ ପ୍ରତ୍ୟାହାର କରିବା ଓ କାର୍ଯ୍ୟରତ ମହିଳା ଇ.ସି.କର୍ମି ଙ୍କ କାର୍ଯ୍ୟକାଳ କୁ ବୃଦ୍ଧି, ସ୍ଥାୟୀ ନିଯୁକ୍ତି, ଇସି ସଦସ୍ୟାଙ୍କୁ ନିୟମିତ ଦରମା, ଜିପିଏଲଏଫ ସଦସ୍ୟାଙ୍କୁ ମୁଣ୍ଡପିଛା ଭତ୍ତା, ସହରାଞ୍ଚଳ ଇସି ସଦସ୍ୟାଙ୍କୁ ମାସିକ ଭତ୍ତା ସୁନିଶ୍ଚିତ କରିବା ଆଦି ପ୍ରମୁଖ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି I ଦାବି ପୂରଣ ନହେଲେ ଭବିଷ୍ୟତ ରେ ଆହୁରି ଜୋରଦାର ଆନ୍ଦୋଳନ ତୃଣମୂଲ ସ୍ତର ରୁ ଆରମ୍ଭ ହେବ ବୋଲି ସଂଘ ଚେତାବନୀ ଦେଇଛି । ଜିଲ୍ଲା ସଂଘର ସଭାନେତ୍ରୀ ନଳିନୀ ବାଗ, ସମ୍ପାଦିକା ହେମାଙ୍ଗିନୀ ଭୋଇ ସମେତ ମିଶନ ଶକ୍ତିର ଶତାଧିକ ମହିଳାମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।