Odisha news

ଆଠଗଡ଼ ମହୋତ୍ସବ – ୨୦୨୪’ରେ କେନ୍ଦ୍ରମନ୍ତ୍ରୀ , ଆଠଗଡ଼ ଓଡ଼ିଆ ଜନଜୀବନର ଏକ ପ୍ରୟୋଗଶାଳା : ଧର୍ମେନ୍ଦ୍ର ପ୍ରଧାନ

0
ଆଠଗଡ ମାଟି କଳା, ସଂସ୍କୃତି ଓ ସାହିତ୍ୟର ସାଧନାର ପୁଣ୍ୟଭୂମି
ଆଠଗଡ ପ୍ରତି ମୋର ଆବେଗ ଅଛି, ଏହା ଓଡ଼ିଆ ସମାଜର ଗୋଟିଏ ଅଭିବ୍ୟକ୍ତି
ଏଠାକାର ରାଜା ଜଣେ ରାଜା ନୁହେଁ ବରଂ ସାଧୁ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ
ଆଠଗଡ ମହୋତ୍ସବ ଲୋକଙ୍କ ମଧ୍ୟରେ ଆନନ୍ଦମୟ ବାତାବରଣ ତିଆରି କରିବାର ପ୍ରତୀକ ହୋଇଛି
‘ଆଠଗଡ ଇତିହାସ’ ପୁସ୍ତକ ଓ ସଙ୍କଳନ ‘ମଧୁପର୍ଣ୍ଣିକାର ଶ୍ରାବଣୀ ହସ’ର କଲେ ପ୍ରଶଂସା

ଆଠଗଡ଼, ଡିସେମ୍ବର ୨୨ – ଆଠଗଡ଼ ଓଡ଼ିଆ ସଭ୍ୟତା ଏବଂ ଓଡ଼ିଆ ଜନଜୀବନର ଏକ ପ୍ରୟୋଗଶାଳା । ଏହି ଠାରୁ ଅନେକ ନୂଆ ନୂଆ ବିଚାର ଏବଂ ନୂତନ ଚିନ୍ତାଧାରା ଜନ୍ମ ନେଇଛି । ଏହି ପବିତ୍ର ଭୂମିରୁ ଅନେକ ତତ୍କାଳୀନ ଓ ସମସାମୟିକ ନେତୃତ୍ୱ ଜନ୍ମନେଇ ଆଠଗଡର ଇତିହାସକୁ ନୂଆ ଦିଗଦର୍ଶନ ଦେଇଛନ୍ତି ବୋଲି ରବିବାର ‘ଆଠଗଡ଼ ମହୋତ୍ସବ – ୨୦୨୪’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଠଗଡ଼ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ଏହି ସମାରୋହରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଠଗଡ ମାଟି କଳା, ସଂସ୍କୃତି ଓ ସାହିତ୍ୟର ସାଧନାର ପୁଣ୍ୟଭୂମି । ଆଠଗଡ କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ ଏହା ଓଡ଼ିଶା ଜନଜୀବନ, ସଭ୍ୟତା, ସଂସ୍କୃତିର ଅନ୍ୟନ୍ୟ ପ୍ରୟୋଗଶାଳା । ମହାନଦୀର ପାଖରେ ଥିବା ଅଞ୍ଚଳ ଆଠଗଡ ସବଡିଭିଜନରେ ପୂର୍ବରୁ ୪ଟି ଗଡଜାତ ଯଥା ନରସିଂହପୁର, ବଡମ୍ବା, ତିଗିରିଆ ଓ ଆଠଗଡ଼ ଥିଲା । ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରଜାମଣ୍ଡଳ ଆନ୍ଦୋଳନ ଓ ଗଡ଼ଜାତ ମିଶ୍ରଣ ଅଭିଯାନରେ ଆଠଗଡ଼ ଗଡ଼ଜାତର ପ୍ରଜାମାନଙ୍କର ଯୋଗଦାନ ଅଭୂତପୂର୍ବ ଥିଲା ବୋଲି ସେ କହିଛନ୍ତି ।  

ମୋର ଆଠଗଡ ପ୍ରତି ଏକ ଆବେଗ ଅଛି । ଏହି ଅଞ୍ଚଳ ଓଡ଼ିଆ ସମାଜର ଗୋଟିଏ ଅଭିବ୍ୟକ୍ତି । ଆଠଗଡର ରାଜା ଜଣେ ରାଜା ନୁହେଁ ବରଂ ଜଣେ ସାଧୁ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଯେଉଁ ସମାଜର ରାଜା ସାଧୁ ହୁଅନ୍ତି, ସେହି ଅଞ୍ଚଳର ସଂସ୍କାର ସ୍ୱତନ୍ତ୍ର ପରିଚୟ ପାଇଥାଏ । ଏହି ମାଟିରୁ ଶିକ୍ଷା ଦୀକ୍ଷା ଲାଭ କରି ଏବଂ ଏଠାରେ ସାଧନା କରି ବହୁ କଳାକାର ଓ ସାହିତ୍ୟିକ ସିଦ୍ଧି ଲାଭ କରିଛନ୍ତି । ଦେଶ ବିଦେଶରେ ଆଠଗଡ ପାଇଁ ଗୌରବ ମଧ୍ୟ ଆଣିଛନ୍ତି । ଏହି ଅଞ୍ଚଳରେ ଚାଷ ଓ ଶିଳ୍ପର ଅନେକ ସମ୍ଭାବନା ଅଛି । କିନ୍ତୁ ଆଠଗଡର ଶିଳ୍ପକୁ ଆଗକୁ ନନେବାର ପ୍ରୟାସ ବିଗତ ଦିନ ମାନଙ୍କରେ କରାଯାଇଛି । ଆମର ଦାୟିତ୍ୱ ଆଠଗଡବାସୀଙ୍କ ମଧ୍ୟରେ ଭୟକୁ ପ୍ରତିହତ କରି ସୁଖ, ଶାନ୍ତି, ସମୃଦ୍ଧି ଅଞ୍ଚଳ ଭାବେ ତିଆରି କରିବା । ଏହି ଅଞ୍ଚଳର ପ୍ରଗତି କରାଇବା । ଆଠଗଡ ସମୃଦ୍ଧ ହେଲେ ହେଲେ ସମୃଦ୍ଧ ହେବ ।

 ଆଠଗଡ ମହୋତ୍ସବ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ଆନନ୍ଦମୟ ବାତାବରଣ ତିଆରି କରିଛି । ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କ ମଧ୍ୟରେ ସଙ୍ଗୀତଗାନର ଯେଉଁ ପ୍ରତିଭା ଅଛି, ତାହା କୌଣସି ଅଭିଜ୍ଞ କଳାକାରଙ୍କ ଠାରୁ କମ ନୁହେଁ । ଆଠଗଡ଼ ଏବଂ ଏଠାରେ ପାଳିତ ହେଉଥିବା ମହୋତ୍ସହ ସମାଜରେ ସକରାତ୍ମକର ଏକ ବଟ୍ଟବୃକ୍ଷର ରୂପ ନେଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଆଠଗଡ ଇତିହାସକୁ ନେଇ ପ୍ରସ୍ତୁତ ପୁସ୍ତକ ଏବଂ ଭକ୍ତିଗୀତ, କବିତା ଓ ଢଗକୁ ନେଇ ପ୍ରକାଶିତ ସଙ୍କଳନ ‘ମଧୁପର୍ଣ୍ଣିକାର ଶ୍ରାବଣୀ ହସ’ର ପ୍ରଶଂସା କରିଥିଲେ । ଶ୍ରୀ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ କରକମଳରେ ସ୍ମରଣିକା ‘ଅଷ୍ଟାୟନ’ ଉନ୍ମୋଚିତ ହୋଇଥିଲା ।

 

Leave A Reply