ତିହିଡି, ୧୪/୧୧(ଯଦୁମଣି ପାଣିଗ୍ରାହୀ): ତିହିଡି ତହସିଲ ଅଧିନସ୍ଥ ଗଦି ସର୍କଲର ରାଜସ୍ୱ ନିରୀକ୍ଷକ ଭାଗବତ ଖଟୁଆ ଆଜି ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡି ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, ଜାମଯୋଡି ପଞ୍ଚାୟତ ଅନ୍ତର୍ଗତ ଅମୃତପୁର ଗାଁର ବିଜୟ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜ ଜମିର କିସମ ପରିବର୍ତ୍ତନ କରିବାକୁ ବାରମ୍ବାର ଶ୍ରୀ ଖଟୁଆଙ୍କୁ ନିକଟକୁ ଦୌଡୁଥିଲେ ମଧ୍ୟ ସେ ବିଭିନ୍ନ ଆଳ ଦେଖାଇ ଘଟଣାକୁ ଏଡାଇ ଚାଲିଥିଲେ । ଶେଷରେ ୫ ହଜାର ଟଙ୍କା ଲାଞ୍ଚ ନ ଦେଲେ କାମ ହୋଇପାରିବ ନାହିଁ ବୋଲି ଶ୍ରୀ ଖଟୁଆ ସ୍ପଷ୍ଟ ଭାବେ ଶ୍ରୀ ମଲ୍ଲିକଙ୍କୁ କହିଥିଲେ । ସେଠାରୁ ନିରାଶ ହେବା ପରେ ଶ୍ରୀ ମଲ୍ଲିକ ଏଥିନେଇ ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ରାଜସ୍ୱ ନିରୀକ୍ଷକ ଶ୍ରୀ ଖଟୁଆ ଆଜି ଶ୍ରୀ ମଲ୍ଲିକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବାଲେଶ୍ୱର ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ତାଙ୍କୁ ରଙ୍ଗେହାତ ଧରିବାକୁ ସକ୍ଷମ ହୋଇଥିଲେ । ଶ୍ରୀ ଖଟୁଆଙ୍କ ଠାରୁ ନଗଦ ୫ ହଜାର ଟଙ୍କା ଜବତ କରାଯିବା ସହ ତାଙ୍କ ବିରୋଧରେ ଏକ ମାମଲା ନଂ-୧୫/୨୪ ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି ।