Odisha news

ସମସ୍ତଙ୍କୁ ବାସଗୃହ ଓ ପାନୀୟ ଜଳ ଆମ ସରକାରଙ୍କ ପ୍ରାଥମିକତା : ମନ୍ତ୍ରୀ ରବି ନାରାୟଣ ନାଏକ

ଆମ ସରକାର ଲୋକଙ୍କର ସରକାର – ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର

0

ଭୁବନେଶ୍ୱର – ତା- ୨୭ .୦୯.୨୦୨୪ : ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟରରେ ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀର ଏକ ସଂପାନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓ (ସହରାଂଚଳ) ଏବଂ ପାନୀୟଜଳ ଉପରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ଏହି ସଂପାନରେ ମାନ୍ୟବରପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ, ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମଂଚାସୀନ ରହି ଜିଲ୍ଲାପାଳ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।
ଏହି ସମ୍ମିଳନୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ସାଧାରଣ କହିଲେ ଯେ, ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନର କରିବାରେ ସରକାରଙ୍କ ପ୍ରତିବଦ୍ଧତା ରହିଛି । ଏହାସହ ସବୁଠାରୁ ଉପାନ୍ତ ଅଂଚଳରେ ସୁଦ୍ଧା ଯେପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓ ପାନୀୟଜଳର ଶତ ପ୍ରତିଶତ ସେବା ଯୋଗାଇ ଦିଆଯାଇ ପାରିବ ତାହା ସୁନିଶ୍ଚିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ଜିଲ୍ଲାପାଳମାନଙ୍କୁ ଉତ୍ସାହିତ କରିଥିଲେ ।
ଏଥିରେ ଓଡ଼ିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ପାଓ୍ୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବିକଶିତ ଓଡ଼ିଶା ପାଇଁ ବିଭାଗ ଦ୍ୱାରା କାର୍ୟ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା, ସେସବୁର ସଫଳ କାର୍ୟ୍ୟାନ୍ୱୟନ ପାଇଁ ଗ୍ରହଣ କରାଯାଉଥିବା ସ୍ୱତନ୍ତ୍ର ପଦକ୍ଷେପ, ଧାର୍ୟ୍ୟଲକ୍ଷ୍ୟ ଓ ସଫଳତା ବିଷୟରେ ଆଲୋକପାତ କରିଥିଲେ ।

ଗ୍ରାମାଂଚଳରେ ପ୍ରତିଟି ପରିବାରକୁ ସ୍ୱଚ୍ଛ ପାନୀୟଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଅଛନ୍ତି । ସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଅଧିନରେ ଏହିଦିଗରେ ସମସ୍ତ ପ୍ରୟାସ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଗ୍ରାମାଂଚଳର ୭୫% ପରିବାରକୁ ପାଇପ ଯୋଗେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାଯାଇ ସାରିଛି । ସମୁଦାୟ ୨୩୫ଟି ଗ୍ରାମ ପଂଚାୟତ ଓ ୭୩୬୩ ଟି ଗ୍ରାମକୁ ‘ହର୍ ଘର୍ ଜଲ୍’ ଭାବରେ ଘୋଷିତ କରାଯାଇ ସାରିଛି । ଆହୁରି ଯେମିତି ସମସ୍ତ ଅଂଚଳକୁ ଆବଶ୍ୟକୀୟ ପାନୀୟ ଜଳ ଯୋଗାଇ ଦିଆଯାଇ ପାରିବ, ସେଥିପାଇଁ ୧୯୧ ମେଗା ପ୍ରକଳ୍ପ, ୨୫୦୦ଟି ଏକକ ଗ୍ରାମ ପ୍ରକଳ୍ପ ଓ ୪୦୦୦ ସୌର ପ୍ରକଳ୍ପ ନିର୍ମାଣଧିନ ରହିଛି । ୧୬ ଟି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ୧୬୦୫୧ ଏକକ ଗ୍ରାମ ପ୍ରକଳ୍ପ ଓ ୪୩୪୧ ସୌର ପ୍ରକଳ୍ପର ନିର୍ମାଣ ସଂପୂର୍ଣ୍ଣ ହୋଇ ସାରିଛି ।
ନୂତନ ସରକାର ଗଠନ ହେବାର ପ୍ରଥମ ୧୦୦ ଦିନ ମଧ୍ୟରେ ୧.୨୫ ଲକ୍ଷ ପରିବାରକୁ ପାନୀୟଜଳ ଯୋଗାଇ ଦିଆଯାଇଛି । ୧୨୦୦ ଗ୍ରାମକୁ ହର୍ ଘର୍ ଜଲ୍ ଘୋଷଣା କରାଯାଇଛି ଓ ୧୦୦୦ ସୌର ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ଡିସେମ୍ବର,୨୦୨୬ ସୁଦ୍ଧା ଗ୍ରାମାଂଚଳରେ ୧୦୦ ପ୍ରତିଶତ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି ।ରାଜ୍ୟରେ ୨୦୧୬-୧୭ ଆର୍ଥିକ ବର୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ହେବା ପରଠୁ ୨୨.୭୧ ଲକ୍ଷ ଆବାସ ନିର୍ମାଣ କରାଯାଇସାରିଛି । ଏହାସହ ନୂତନ ସରକାର ଗଠନର ୧୦୦ ଦିନ ମଧ୍ୟରେ ୯୯,୯୮୭ଟି ଆବାସ ନିର୍ମାଣକାର୍ୟ୍ୟ ସଂପୂର୍ଣ୍ଣ ହୋଇଛି । ନଭେମ୍ବର,୨୦୨୪ ସୁଦ୍ଧା ଗ୍ରାମାଂଚଳରେ ୪.୭୬ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ସଂପୂର୍ଣ୍ଣ କରିବାପାଇଁ ଜିଲ୍ଲାପାଳ ମାନଂକୁ ଧାର୍ୟ୍ୟ ଲକ୍ଷ୍ୟ ଦିଆଯାଇଛି । ଏହା ସହ ବର୍ତ୍ତମାନ ପର୍ୟ୍ୟନ୍ତ ବାଦପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଶୀଘ୍ର ସର୍ଭେ ଆରମ୍ଭ ହେବ ବୋଲି ସୂଚିତ କରାଯାଇଥିଲା ।
ଆଜି ଜିଲ୍ଲାପାଳ ସମ୍ମିଳନୀ ଅବସରରେ ଆୟୋଜିତ ଆଲୋଚନାରେ ଯୋଗଦେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, “ଏ ସରକାର, ଲୋକଙ୍କ ସରକାର” । ଲୋକଙ୍କ ସେବକ ଭାବରେ ନିଜକୁ ସମର୍ପିତ କରି ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ କହି ଆସୁଛନ୍ତି, “ସବକା ସାଥ, ସବକା ବିକାଶ”। ବିଶେଷ କରି ସମାଜର ଅବହେଳିତ ବର୍ଗକୁ ମୁଖ୍ୟସ୍ରୋତରେ ଆଣିବାକୁ ସମସ୍ତେ ଚେଷ୍ଟା କରିବା ଦରକାର । ଜିଲ୍ଲାପାଳମାନଙ୍କୁ ବିଭିନ୍ନ ପରାମର୍ଶ ଦେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି , ଜିଲ୍ଲାପାଳମାନେ ଉନ୍ନତିର ମୁଖ୍ୟ କର୍ଣ୍ଣଧାର । ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି ବଳରେ ଉନ୍ନତିର କ୍ରମଃବିକାଶ ହୋଇପାରିବ । ସହରାଂଚଳରେ ଶତ ପ୍ରତିଶତ ପାନୀୟ ଜଳ ଯୋଗାଣ ସେବାକୁ ସୁନିଶ୍ଚିତ କରିବାକୁ କାର୍ୟ୍ୟକ୍ରମ ଗ୍ରହଣ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ସହର) ଉପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ପାୱାର ପଏଣ୍ଟ ଉପସ୍ଥାପନା କରି ଏ ସଂପର୍କିତ ତଥ୍ୟ ପ୍ରଦାନ କରିଥିଲେ । ସହରାଂଚଳରେ ବାସହୀନ ମାନଙ୍କୁ ଗୃହ ଯୋଗାଣ ପାଇଁ ସରକାର ସମସ୍ତ ପ୍ରୟାସ ଜାରି ରଖିଥିବା ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ ପ୍ରକାଶ କରିଥିଲେ ।
ଏହି ସଂପାନରେ ଗଂଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଓ୍ୱାନ ମହାଜନ ଏହି କ୍ଷେତ୍ରରେ ତୃଣମୂଳ ସ୍ତରରେ ନିଆଯାଇଥିବା ବିଭିନ୍ନ ନୂତନ ପଦକ୍ଷେପର ଉଦାହରଣ ପ୍ରସ୍ତୁତ କରିଥିଲେ ।

 

 

Nalco

Leave A Reply