ଫର୍ଟିଲାଇଜର ଇନିସିପେକ୍ଟର ଓ କୃଷିବିଭାଗ ପକ୍ଷରୁ ୮ଟି ସାର ଦୋକାନରେ ଚଢ଼ାଉ : ଏକ୍ସପାରି କୀଟନାଶକ ଔଷଧ ଜବତ ।କଳା ବଜାରୀ ରୋକିବାକୁ କଡା ନିର୍ଦ୍ଦେଶ
ଗୋପ : ସୋମବାର ଦିନ ଫର୍ଟିଲାଇଜର ଇନିସିପେକ୍ଟର ଓ କୃଷିବିଭାଗ ପକ୍ଷରୁ ୮ଟି ସାର ଦୋକାନ ଉପରେ ଚଢ଼ାଉ କରାଯାଇ ବ୍ୟାପକ ଏକ୍ସପାରୀ କୀଟନାଶକ ଔଷଧ ଜଵତ କରାଯାଇଛି ।ସୂଚନା ଥାଉକି ଗୋପ ବ୍ଲକରେ ୯୫ଟି ସାର ଓ କୀଟନାଶକ ଔଷଧ ଥିବା ବେଳେ ୮ଟି ଦୋକାନରେ ଚଢ଼ାଉ ଧର୍ମକୁ ଆଖି ଠାର ସଦୃଶ ହୋଇଛି। କୋଣାର୍କ ଓ ନିମାପଡ଼ା ଅଞ୍ଚଳରେ ସାର ଓ କୀଟନାଶକ ଔଷଧ କଳା ବଜାରୀ,ଚଢାଦରରେ ବିକ୍ରି ଏବଂ ନକଲି ସାର ଓ କୀଟନାଶକ ବିକ୍ରି ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା। ଏପରିକି କୃଷିବିଭାଗ ଏବଂ ସାର ଓ କୀଟନାଶକ ଔଷଧ ଦୋକାନୀଙ୍କ ମଧୁଚନ୍ଦ୍ରିକା ରେ ଏହି କାରବାର ଚାଲିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଆଜି ଫର୍ଟିଲାଇଜର ଇନିସିପେକ୍ଟର ଓ କୃଷିବିଭାଗ ପକ୍ଷରୁ ମିଳିତ ଭାବରେ ଗୋପ ବ୍ଲକର ୮ଟି ସାର ଦୋକାନ ଉପରେ ଅଚାନକ ଚଢ଼ାଉ କରାଯାଇଥିଲା । ହେଲେ ପୂର୍ବରୁ କିଛି ଅସାଧୁ ସାର ବ୍ୟବସାୟୀ ଖବର ପାଇ ଦୋକାନ ଗୁଡିକୁ ବନ୍ଦ କରି ଥିବା ବେଳ କିଛି ସାର ଦୋକାନ ଖୋଲା ଥିଲା। ଗୋପ ବଜାରରେ ୨ଟି ଦୋକାନ ଥିବା ବେଳେ ଗଣେଶ୍ୱରପୁର, ସୁବର୍ଣ୍ଣପୁର, ନାଗପୁର, ମଦରଙ୍ଗ, ଦଳନଇ, ଜାଉଁଳିପୋଖରୀ,ଛଇତନା ପ୍ରଭୁତି ଦୋକାନରେ ନିମାପଡ଼ା ଫର୍ଟିଲାଇଜର ଇନିସିପେକ୍ଟର ସୁବାଷ ଚନ୍ଦ୍ର ବାରିକ ଓ ଗୋପ କୃଷି ବିଭାଗ ଅଧିକାରୀ ଚନ୍ଦ୍ର ଶେଖର ଦାଶ ମିଳିତ ଭାବରେ ଚଢ଼ାଉ କରିଥିଲେ। ଚଢାଉ ସମୟରେ ଜଣାପଡିଥିଲା କୌଣସି ଗୋଟିଏ ହେଲେ ଡିଲର ବା ଦୋକାନୀ କୃଷିବିଭାଗର ନିୟମ କି ସରକାରୀ ନୀତିନିୟମକୁ ସମ୍ପୂର୍ଣ୍ଣ ଭାବେ ବେଖାତିର କରି ଖୁଲମଖୁଲା ବ୍ୟବସାୟ ଚଳାଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ୟବସାୟୀମାନେ ଦୋକାନ ଆଗରେ ଡିଲରଙ୍କ ନାମ, ରେଜିଷ୍ଟ୍ରେସନ ନମ୍ବର, ସାରର ରେଟ ଚାର୍ଟ ମାରିବା ସହ ଚାଷୀ ସାର କି କୀଟନାଶକ ଔଷଧ ନେଲେ ବିଲି ଦେବାକୁ କଡା ନିର୍ଦ୍ଦେଶ ଥିଲେ ମଧ୍ୟ କୌଣସି ଗୋଟିଏବି ଡିଲର ଏହି ନିୟମ ପାଳନ କରୁନାହାନ୍ତି।ସେହିପରି କେତକ ଵ୍ୟବସାୟୀ ଏକ୍ସପାରି କୀଟନାଶକ ଔଷଧ ଗଛିତ ରଖି ବିକ୍ରି କରୁଥିବା ନେଇ ଅଧିକାରୀ ମାନେ ବିରକ୍ତି ପ୍ରକାଶ କରିବା ସହିତ ଏକ୍ସପାରି କୀଟନାଶକ ଔଷଧ ଜବତ କରିଥିଲେ।ସମସ୍ତ ନିୟମ ଖିଲାପ କାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ୭ଦିନ ମଧ୍ୟରେ ଯଦି ସରକାରୀ ନୀତି ନିୟମ ବାହାରେ କୌଣସି ଡିଲର ବା ଦୋକାନୀ କାର୍ଯ୍ୟ କରେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଲାଇସେନ୍ସ କ୍ୟାନସଲ କରାଯିବ ବୋଲି ଫର୍ଟିଲାଇଜର ଇନିସିପେକ୍ଟର ସୁବାଷ ଚନ୍ଦ୍ର ବାରିକ କହିଛନ୍ତି।