ବାରିପଦା : ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଶୁକ୍ରବାର ଦିନ ଦେଢ଼ ହଜାରରୁ ଊର୍ଦ୍ଧ୍ୱ ରାମଭକ୍ତ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଭାଜପା ପକ୍ଷରୁ ଏ ଅଞ୍ଚଳର ଅଯୋଧ୍ୟା ଗମନାର୍ଥୀ ରାମ ଭକ୍ତମାନଙ୍କ ପାଇଁ ପ୍ରସ୍ତୁତ ଯୋଜନା ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନ ସାଢ଼େ ଦଶଟା ବେଳେ ଏକ ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ ଦେଢ଼ ହଜାର ରାମ ଭକ୍ତଙ୍କୁ ନେଇ ବାଲେଶ୍ୱର ରେଳ ଷ୍ଟେସନ ଛାଡିଛି ଏବଂ ଏହା ଶନିବାର ବଡ଼ି ଭୋରରେ ଅଯୋଧ୍ୟାର “ଦର୍ଶନ ନଗର’ ଠାରେ ପହଞ୍ଚିିବ ବୋଲି ବିଜେପି ରାଜ୍ୟ ମୁଖପାତ୍ର କବିବିଷ୍ଣୁ ଶତପଥୀ ସୂଚନା ଦେଇଛନ୍ତି । ଏହି ‘ଆସ୍ଥା’ ଟ୍ରେନଟି ରେଳଯାତ୍ରୀ ଦର୍ଶନାର୍ଥୀ ମାନଙ୍କୁ ନେଇ ଅଯୋଧ୍ୟାରୁ ରବିବାର ଦିନ ଫେରନ୍ତା ଯାତ୍ରା ଆରମ୍ଭ କରି ସୋମବାର ଦିନ ବାଲେଶ୍ୱରରେ ଆସି ପହଞ୍ଚିବ ବୋଲି ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି । ଟ୍ରେନ ଯାତ୍ରା ଆରମ୍ଭ ବେଳେ ବାଲେଶ୍ୱର ଷ୍ଟେସନ ରାମ ଭକ୍ତଙ୍କ ‘ଜୟ ଶ୍ରୀରାମ’ ଧ୍ୱନିରେ ଉଛୁଳି ଉଠିଥିବା ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସମସ୍ତଙ୍କୁ ବିଦାୟ ଦେଇଥିବା ଜଣାଯାଇଛି ।