Odisha news

ଲୁଟ ଓ ହତ୍ୟା ମାମଲା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

0
ବ୍ରହ୍ମପୁର,୩୧।୧: ବ୍ରହ୍ମପୁରର ଅଳକାପୁରୀ ଠାରେ ଜଣେ ମହିଳାଙ୍କ ଘରେ ପଶି ଲୁଟ କରିବା ଓ ଧରାପଡ଼ିଯିବା ପରେ ମହିଳାଙ୍କୁ ଛୁରୀ ଭୁଷି ହତ୍ୟା ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଛି ା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏଡିଜେ-୩ ଅଦାଲତର ବିଚାରପତି ରାଜ କୁମାର ଦାଶ ଏହି ମାମଲାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ା ଅଭିଯୁକ୍ତ ଜଣଙ୍କ ହେଲେ କବିସୂର୍ଯ୍ୟନଗର ଦେଶୀବେହେରା ସାହିର ବଳରାମ ସାହୁ ଓରଫ ବଳିଆ(୨୮) ା କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି ା ଜୋରିମାନା ଅନାଦେୟ ଆଉ ୧ ବର୍ଷ ଅଧିକ କାରାଦଣ୍ଡ ଭୋଗିବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି ା ଘଟଣାରୁ ପ୍ରକାଶ ଯେ,  ସଦର ଥାନା ଅନ୍ତର୍ଗତ ଅଳକାପୁରୀ ୭ମ ଲାଇନରେ ପୂର୍ବତନ ଜିଲା ମଙ୍ଗଳ ଅଧିକାରୀ ବିଜୟ ଚନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ସୁରଜା ବେହେରା ରହୁଥିଲେ। ତାଙ୍କ ପୁଅ ରଶ୍ମିରଞ୍ଜନ ବେହେରା ଭୁବନେଶ୍ୱର ରେ କାମ କରି ସେଠାରେ ରହୁଥିଲେ। ୨୦୨୨  ଫେବୃଆରୀ ୨୪ ତାରିଖ ସନ୍ଧ୍ୟାରେ ବିଜୟ କୁମାର ବେହେରା ସାନ୍ଧ୍ୟା ଭ୍ରମଣ ପାଇଁ ଘର ବାହାରିଥିଲେ। ତାଙ୍କ ସ୍ତ୍ରୀ ସୁରଜା ଘର ସମ୍ମୁଖ ଗ୍ରୀଲରେ ତାଲା ଦେଇ  ଘର ଭିତରକୁ ଯାଇଥିଲେ। ସାନ୍ଧ୍ୟ ଭ୍ରମଣ ସାରି  ବିଜୟ ଘରକୁ ଫେରି ତାଙ୍କ ସ୍ତ୍ରୀ ଙ୍କୁ ଗ୍ରୀଲ ତାଲା ଖୋଲିବାକୁ କହିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରଜା  ଘର ଭିତରୁ ଆସିନଥିଲେ। ତେଣୁ ବିଜୟଙ୍କ ସନ୍ଧେହ ହୋଇଥିଲା । ପରେ ସେ ପୋଲିସକୁ ଖବର କରିଥିଲେ। ପୋଲିସ ଉପସ୍ଥିତିରେ ସେ ଘର ଭିତରକୁ ଯିବା ବେଳେ ଘର ଭିତରେ ଥିବା ଏକ  ଖଟରେ ସୁରଜା ବେହେରା ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରି ପଢିଥିଲେ।  ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ  ଘଟଣାର ତଦନ୍ତ କରି ମାମଲା ନମ୍ବର ୯୫/୨୨ ରେ କବିସୂର୍ଯ୍ୟନଗର ଅଞ୍ଚଳର ବଳରାମ ସାହୁଙ୍କୁ ଗିରଫ କରିଥିଲା ା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲାଯେ, ଅଭିଯୁକ୍ତ ବଳରାମ ଲୁଟ କରିବା ଉଦ୍ୟମରେ ଘର ଭିତରେ ପଶିଥିଲେ ା ଆଲମୀରା ଭାଙ୍ଗି ଲୁଟ କରୁଥିବା ବେଳେ ବିଜୟଙ୍କ ସ୍ତ୍ରୀ ସୁରଜା ଅଭିଯୁକ୍ତଙ୍କୁ ଦେଖି ଦେଇଥିଲେ ା କାଳେ ଧରାପଡ଼ିଯିବା ଭୟରେ ଅଭିଯୁକ୍ତ ବଳରାମ ଘରେ ଥିବା ଏକ ଛୁରୀରେ ସୁରଜାଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ ା ଏହି ମାମଲାର ବିଚାରଣା ଏଡିଜେ-୩ରେ ଚାଲୁ ରହିଥିଲା ା ମାମଲାର ତଦନ୍ତ ଅଧିକାରୀ ମହେନ୍ଦ୍ର ସାହୁ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ ା ବିଚାରଣା ବେଳେ ମୋଟ ୨୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ା ସରକାରଙ୍କ ପକ୍ଷରୁ ଏପିପି ରଜତ କୁମାର ଦାସ ମାମଲା ପରିଚାଳନା  କରୁଥିଲେ

Leave A Reply