ଅସୁରାଳି : ଜଣେ ୱାରେଣ୍ଟିଙ୍କୁ ଧରିବାକୁ ଯାଇ ଧୂଷୁରୀ ପୁଲିସ ଆକ୍ରମଣର ସମ୍ମୁଖୀନ ହୋଇଥିବା ଜଣାପଡିଛି।ଏହି ଘଟଣାରେ ଧୂଷୁରୀ ପୁଲିସ ଗୋଟିଏ ପରିବାରର 6 ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି। ଏପରି ଘଟଣା ଘଟିଛି ଅସୁରାଳି ପଞ୍ଚାୟତର ହଂସପୁର ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଧୂଷୁରୀ ଥାନା ଅଧିକାରିଣୀ ବନାନୀ ବେହେରାଙ୍କ ନେତୃତ୍ବରେ ଏସ୍ ଆଇ ବାସୁଦେବ ଓରାମ୍,ଏଏସଆଇ ପରମାନନ୍ଦ ସାମଲ ପ୍ରମୂଖ ଏକ ପୁଲିସ ଟିମ ସ୍ଥାନୀୟ ହଂସପୁର ଗ୍ରାମର ୱାରେଣ୍ଟି ଅଭିଯୁକ୍ତ ଶିବ ରାଉତଙ୍କୁ ଧରିବା ପାଇଁ ତାଙ୍କ ଘରକୁ ଯାଇଥିଲେ।ଏହି ସମୟରେ ପୁଲିସ ଓ ଶିବଙ୍କ ପରିବାର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶିବଙ୍କ ଭାଇ,ଭାଉଜ,ସ୍ତ୍ରୀ ଏବଂ ମା ପୁଲିସ ଚଢ଼ାଉକୁ ବିରୋଧ କରି ଗରମ ପାଣି,ଲଙ୍କା ଗୁଣ୍ଡ ଫିଙ୍ଗିବା ସହ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହା ଭିତରେ ଶିବ ଖସି ଯାଇଥିବା ବେଳେ ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ପୁଲିସ ଦୁଇଭାଇ ମଙ୍ଗରାଜ ରାଉତ ଏବଂ ଦେବରାଜ ରାଉତଙ୍କୁ ଗିରଫ କରିଥିଲା। ଏ ସମ୍ପର୍କରେ ଆଇଆଇସି ବନାନୀ ବେହେରାଙ୍କ ଅଭିଯୋଗ ଆଧାରରେ ଧୂଷୁରୀ ଥାନାରେ କେସ ନଂ-17/24 ରେ 6 ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଗିରଫ ମଙ୍ଗରାଜ ଏବଂ ଦେବରାଜଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ଫେରାର ଶିବ ରାଉତଙ୍କ ନାମରେ କେଉଁ ମାମଲାକୁ ନେଇ ୱାରେଣ୍ଟ ଜାରି ହୋଇଛି ସେ ବାବଦରେ ପୁଲିସ ସ୍ପଷ୍ଠ ସୂଚନା ଦେଇ ପାରିନାହିଁ। ତେବେ ପୁଲିସ ଆକ୍ରମଣର ଶିକାର ହେବା ଭଳି ଅଭାବନୀୟ ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।