Odisha news

ଦିଲ୍ଲୀରୁ ଆସି ଦର୍ପଣଗଡରେ ପହଞ୍ଚିଲା ମା’କୋଟ୍ରାକ୍ଷୀଙ୍କ ଦୁର୍ଲଭ ମୂର୍ତ୍ତି : ଅଞ୍ଚଳବାସୀଙ୍କ ଭବ୍ୟ ସ୍ୱାଗତ,୧୬କିମି ଧରି ଚାଲିଲା ଶୋଭାଯାତ୍ରା,ଶନିବାର ହେବ ମା’ଙ୍କ ପୁନଃ ପ୍ରତିଷ୍ଠା

0
ଚଣ୍ଡିଖୋଲ,୧୦/୧୧ :  ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ଦର୍ପଣ ଗ୍ରାମରୁ ଗତ ୨୦୨୧ ମସିହା ଜାନୁଆରୀ ୧୧ ତାରିଖ ରାତିରେ ଚୋରି ହୋଇଥିବା ଅଷ୍ଟଧାତୁ ନିର୍ମିତ ମା’କୋଟ୍ରାକ୍ଷୀଙ୍କ ପ୍ରାଚୀନ ତଥା ଦୁର୍ଲଭ ମୂର୍ତି ଦିଲ୍ଲୀରୁ ଓଡିଶାକୁ ଫେରିବା ପରେ ଶୁକ୍ରବାର ଦିନ ଦର୍ପଣଗଡର ମା’ଙ୍କ ମନ୍ଦିରରେ ପହଞ୍ଚିଛି! ଗତ ୧ ତାରିଖ ଠାରୁ ମୂର୍ତ୍ତି ଆଣିବାକୁ ଦିଲ୍ଲୀ ଯାଇଥିବା ୭ ଜଣିଆ ସ୍ୱତନ୍ତ୍ର ଟିମ ବିମାନ ଯୋଗେ ଭୁବନେଶ୍ୱରରେ ପହହଞ୍ଚିବା ପରେ ସେଠାରୁ ସିଧା ସଳଖ ମା’ଙ୍କ ମୂର୍ତ୍ତିକୁ ବଡଚଣା ଥାନାକୁ ଅଣାଯାଇଥିଲା! ସେଠାରେ ପ୍ରଥମେ ବଡଚଣା ଥାନା ଅଧିକାରୀ ମା’ଙ୍କ ମୂର୍ତ୍ତି ଗ୍ରହଣ କରିଥିଲେ! ମୂର୍ତ୍ତିଙ୍କୁ ମନ୍ଦିରରେ ପୁନଃ ପ୍ରତିଷ୍ଠା ପାଇଁ ପୋଲିସ ପକ୍ଷରୁ ତାହା ଦର୍ପଣ ଗ୍ରାମବାସୀଙ୍କୁ ସଙ୍ଗେସଙ୍ଗେ ହସ୍ତାନ୍ତର କରାଯାଇଥିଲା! ମୂର୍ତ୍ତି ମିଳିବାପରେ ଅଞ୍ଚଳବାସୀଙ୍କ ପକ୍ଷରୁ ମା’ଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବଡଚଣା ଥାନାଠାରୁ ଦୀର୍ଘ ୧୬କିମି ଦର୍ପଣଗଡ ପର୍ଯ୍ୟନ୍ତ ଏକ ସୁଶଜ୍ଜିତ ଗାଡିରେ ନିଆଯିବାପରେ ଦର୍ପଣ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବିମାନଯୋଗେ ବିରାଟ ପଟୁଆରରେ ମାଙ୍କୁ ତାଙ୍କ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା! ଏହି ଶୋଭାଯାତ୍ରାରେ ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀ, ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର,ଯାଜପୁରରୋଡ ଏସଡିପିଓ ସଞ୍ଜୟକୁମାର ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ! ଦର୍ପଣଗଡରେ ମା’ଙ୍କ ମୂର୍ତ୍ତି ପହଞ୍ଚିବା ଜାଣି ମହିଳାମାନେ ଗ୍ରାମ ରାସ୍ତାକୁ ସମ୍ପୂର୍ଣ୍ଣ ଝୋଟିରେ ସଜାଇବା ସହ ମା’ଙ୍କ ସମ୍ମାନ ପାଇଁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ନୂଆ ସାଢୀ ବିଛାଇ ତା’ଉପରେ ବିମାନକୁ ତାଉପରେ ନେଶାକୁ ସୁଯୋଗ ସୃଷ୍ଟି କରିଥିଲେ! ମୂର୍ତ୍ତି ମା’ଙ୍କ ମନ୍ଦିର ନିକଟରେ ପହଞ୍ଚିବା ପରେ ଏକ ସୁରକ୍ଷିତ ସ୍ଥାନ ଓ ପୋଲିସ ପହରାରେ ତାକୁ ରଖାଯାଇଥିଲା! ଶନିବାର ମା’ଙ୍କ ମୂର୍ତ୍ତିକୂ ମନ୍ଦିରରେ ପୁନଃ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି! ଶନିବାର ପ୍ରତ୍ୟୂଷରୁ ମୂର୍ତ୍ତିକୁ ମହାସ୍ନାନ କରାଯିବା ପରେ ହୋମଯଜ୍ଞ ସହ ପୂର୍ଣ୍ଣ ଆଧ୍ୟାତ୍ମିକ ନିତି ଅନୁଯାଇ ମନ୍ଦିରରେ ପୁନଃ ପ୍ରତିଷ୍ଠା କରାଯିବ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି! ମାଙ୍କ ମୂର୍ତ୍ତି ୨୦୨୧ ମସିହା ଜାନୁଆରୀ ୧୧ ତାରିଖରେ ଚୋରି ହୋଇଥିବା ବେଳେ ତାହା ବିଦେଶକୁ ଚୋରା ଚାଲାଣ ସମୟରେ ୨୦୨୨ ନଭେମ୍ବରମାସ ସେହି ୧୧ ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ଜବତ ହୋଇଥିଲା ଆଉ ପୁଣି ସେହି ଶନିବାର ୧୧ ତାରିଖ ଦିନ ମା’ଙ୍କ ମୂର୍ତ୍ତି ତାଙ୍କ ପୂର୍ବ ମନ୍ଦିରରେ ପୁନଃ ସ୍ଥାପନା ହେବାକୁ ଯାଉଥିବା ଘଟଣା ଏକ ଅପୂର୍ବ,ଅଲୌକିକ ଓ ଅନନ୍ୟ ସଞ୍ଜୋଗ ବୋଲି ସ୍ଥାନୀୟ ଲୋକେ ବିବେଚନା କରିଛନ୍ତି! ଏଠାରେ ପ୍ରକାଶ ଯୋଗ୍ୟ କି ଗଜପତି ମହାରାଜ କାଞ୍ଚି ବିଜୟ ପରେ ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତିକୁ ସେଠାରୁ ଓଡିଶା ଆଣି ତତ୍କାଳୀନ ଦର୍ପଣ ରାଜାଙ୍କୁ ପ୍ରଦାନ କରିଥିଲେ! ପ୍ରଥମେ ମା’ଙ୍କ ମୂର୍ତ୍ତି ଯାଜପୁର ଜିଲ୍ଲାର ବଡଚଣା ବ୍ଳକର ଧାନମଣ୍ଡଳରେ ସ୍ତାପନା କରାଯାଇଥିଲା! ପରେ ମା’ ଦର୍ପଣ ରାଜାଙ୍କୁ ସ୍ୱପ୍ନାଦେଶ ଦେଇ ଧାନମଣ୍ଡଳରୁ ତାଙ୍କ ମୂର୍ତ୍ତିକୁ ଦର୍ପଣଗଡକୁ ଆଣିବା ପାଇଁ ଆଦେଶ ଦେଇଥିଲେ! ମାଙ୍କ ସ୍ୱପ୍ନାଦେଶ ପରେ ମୂର୍ତ୍ତି ଦର୍ପଣଗଡକୁ ଅଣାଯାଇଥିଲେ ମଧ୍ୟ ସେତେବେଳେ ମନ୍ଦିର ନିର୍ମାଣ ହୋଇନଥିବାରୁ ମାଙ୍କ ମୂର୍ତ୍ତିକୁ ତତ୍କାଳୀନ ବଡପଣ୍ଡାଙ୍କ ଚାଳଛପର ଘରେ ରଖାଯାଇଥିଲା! ପରବର୍ତ୍ତୀ ସମୟରେ ରାଜା ମନ୍ଦିର ନିର୍ମାଣକରି ମା’ଙ୍କ ମୂର୍ତ୍ତିକୁ ସ୍ଥାପନା କରିଥିଲେ! ମା’କୋଟ୍ରାକ୍ଷୀ ମା’ଚାମୁଣ୍ଡାଙ୍କ ଶକ୍ତି ସ୍ୱରୂପା ହୋଇଥିବାରୁ ତାଙ୍କୁ ପ୍ରଥମେ ନରବଳୀ ପରେ ବୋଦାବଳୀ ନୈବେଦ୍ୟ ଅର୍ପଣ କରାଯାଉଥିଲା ଏବଂ ବିନା ପିଆଜ ରସୁଣରେ ଆମିଷ (ମାଛ) ଭୋଗଲାଗି କରାଯାଉଥିଲା! କାଳକ୍ରମେ ଏବେ ମାଙ୍କ ପାଖରେ ନରବଳୀ ଓ ବୋଦାବଳୀ ବନ୍ଦ ହୋଇଥିଲେ ମଧ୍ୟ ଆମିଷ ଭୋଗ ଲାଗି ହୋଇଆସୁଛି! ପ୍ରାୟ ୪ରୁ୫କୋଟି ଟଙ୍କା ମୂଲ୍ୟର ମା’ଙ୍କ ଏହି ଦୁର୍ଲଭ ମୂର୍ତ୍ତି ଚୋରିଯିବା ପରେ ତାହାକୁ ଚୋରାରେ ବିଦେଶ ଚାଲାଣ ହେବା ସମୟରେ ଗତ ୨୦୨୨ ମସିହା ନଭେମ୍ବର ମାସରୁ ଦିଲ୍ଲୀ ବିମାନ ବନ୍ଦରରେ କଷ୍ଟମ ଅଧିକାରୀ ମାନଙ୍କ ଦ୍ୱାରା ଜବତହୋଇ ସେଠାରେ ପଡିରହିଥିଲା! କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିର୍ମଳା ସୀତାରମଣଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ମୂର୍ତ୍ତି ଏଠାକୁ ଫେରିବା ବାଟ ଫିଟିଥିଲା! ଗତ ୯ ତାରିଖରେ ନୂଆଦିଲ୍ଲୀରେ କଷ୍ଟମ ଓ ଏଏସଆଇ ଅଧିକାରୀ ମାନେ ଓଡିଶା ପୋଲିସକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ମା’ଙ୍କ ମୂର୍ତ୍ତି ହସ୍ତାନ୍ତର କରିଥିଲେ!
Nalco

Leave A Reply