Odisha news

ରତ୍ନ ଭଣ୍ଡାର ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ପରିକ୍ରମା ପ୍ରକଳ୍ପ ଓ ଯଜ୍ଞ ବିଷୟରେ ଗଜପତିଙ୍କ ମୁହଁରୁ କୁହାଉଛନ୍ତି ରାଜ୍ୟ ସରକାର : ସମୀର ମହାନ୍ତି

0

 ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ କମିଟି ଗଠନ କରି ରତ୍ନ ଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର
 ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡଯନ୍ତ୍ର
 ଓଡ଼ିଆ ଯୋଗ୍ୟ ଲୋକଙ୍କ ଉପରେ ରାଜ୍ୟ ସରକାରଙ୍କ ବିଶ୍ୱାସ ନାହିଁ କି ?
 ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କମିଟି ଗଠନ ନକଲେ ଖୁବଶୀଘ୍ର ପୁଣି ହାଇକୋର୍ଟରେ ଅଦାଲତ ଅବମାନନା କେସ ଫାଇଲ କରାଯିବ
 ରତ୍ନ ଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ଡରୁଛନ୍ତି କାହିଁକି?
 ସାଧାରଣ ଲୋକଙ୍କ ଓ ଅଗଣିତ ଜଗନ୍ନାଥ ଭକ୍ତଙ୍କ ସନ୍ଦେହ ଦୂର ପାଇଁ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ରତ୍ନଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର, ତା.୦୫/୧୧: ଜଗତର ନାଥ ଜଗନ୍ନାଥ ହେଉଛନ୍ତି ସର୍ବସାଧାରଣଙ୍କ ଦେବତା । ରତ୍ନଭଣ୍ଡାରରେ ତାଙ୍କ ଗହଣା କେତେ ଅଛି ତାହା ଓଡ଼ିଶାବାସୀ ଜାଣିବା ଉଚିତ । କିନ୍ତୁ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର ସ୍କାନିଂ କରିବା କଥା କହିବା ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡଯନ୍ତ୍ର । ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ୱ ରାଜ୍ୟ ସରକାରଙ୍କର । କେବଳ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଗଜପତି ମହାରାଜା ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିବାର କ୍ଷମତା ରହିଛି । ୧୯୫୨ମସିହାରେ ସ୍ୱତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ ରାଜ୍ୟ ସରକାର । ତେଣୁ ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ୱ ସମ୍ପୂର୍ଣ୍ଣରୂପେ ରାଜ୍ୟ ସରକାରଙ୍କର । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗଜପତିଙ୍କ ସୁପାରିଶକୁ କାହିଁକି କାର୍ଯ୍ୟକାରୀ କରୁ ନାହାନ୍ତି ରାଜ୍ୟ ସରକାର? ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ କଥା ଗଜପତି ମହାରାଜଙ୍କ ମୁହଁରୁ କୁହାଇ ରତ୍ନ ଭଣ୍ଡାର ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ରାଜ୍ୟ ସରକାରଙ୍କର ଷଡଯନ୍ତ୍ର ନୁହେଁ ତ? ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର ସ୍କାନିଂ କରିବା ଓ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ କରିବା କହିବାର ଅର୍ଥ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଅଣଦେଖା କରି ହାଇକୋର୍ଟଙ୍କ ନିଦ୍ଦେଶକୁ ଉପେକ୍ଷା କରୁଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଚ୍ଚ ନ୍ୟାୟାଳୟ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ନେଇ ରାଜ୍ୟ ସରକାର କମିଟି ଗଠନ କରୁନାହାଁନ୍ତି କାହିଁକି? ଓଡ଼ିଶାରେ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି । ରାଜ୍ୟ ସରକାରଙ୍କର କଣ ଓଡ଼ିଆ ଲୋକଙ୍କ ଉପରେ ବିଶ୍ୱାସ ନାହିଁ କି? ରାଜ୍ୟ ସରକାର ପରିକ୍ରମା ପ୍ରକଳ୍ପକୁ ଆମର ବିରୋଧ ନାହିଁ କିନ୍ତୁ ରତ୍ନ ଭଣ୍ଡାର ପ୍ରସଙ୍ଗରେ ତତ୍ପରତା ଦେଖାଇ ଅଗଣିତ ଜଗନ୍ନାଥ ଭକ୍ତଙ୍କ ସନ୍ଦେହ ଦୂର କରିବାର ଦାୟିତ୍ୱ ମଧ୍ୟ ରାଜ୍ୟ ସରକାରଙ୍କର । ଆମର ଦାବି ଯଥାଶୀଘ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କମିଟି ଗଠନ ନକଲେ ପୁଣି ହାଇକୋର୍ଟରେ ଅଦାଲତଙ୍କ ଅବମାନନା କେସ ଫାଇଲ କରାଯିବ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଗଜପତି ମହାରାଜା ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିପାରିବେ, କିନ୍ତୁ ରତ୍ନ ଭଣ୍ଡାର ଖୋଲିବାର ସମ୍ପୂର୍ଣ୍ଣ ଦାୟିତ୍ୱ ରାଜ୍ୟ ସରକାରଙ୍କର । ୪ ଅଗଷ୍ଟ ୨୦୨୩ ମସିହାରୁ ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିଶ କରିବା ସତ୍ୱେ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଳିବା ପାଇଁ ଏତେ ମାତ୍ରାରେ ଡରୁଛନ୍ତି କାହିଁକି? ଉଚ୍ଚ ନ୍ୟାୟାଳୟ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଉଭୟଙ୍କ ସୁପାରିଷକୁ ଅବମାନନା କରିବାର କାରଣ କଣ? ରତ୍ନ ଭଣ୍ଡାର ଖାଲି ହୋଇଯାଇଛି କି? ରାଜ୍ୟ ସରକାରଙ୍କର ଏଭଳି ଦାୟିତ୍ୱହୀନତା ଓ ଅନିଚ୍ଛା ମନୋଭାବ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି କରୁଛି । ବହୁବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ରତ୍ନଭଣ୍ଡାର ଖୋଲିବା ପାଇଁ କିନ୍ତୁ ରାଜ୍ୟ ସରକାର ଖୋଲୁନାହାନ୍ତି । ରାଜ୍ୟ ସରକାର କହୁଛନ୍ତି ଆସନ୍ତା ରଥଯାତ୍ରା ସମୟରେ ଖୋଳିବା ପାଇଁ ମୋର ପ୍ରଶ୍ନ ପରିକ୍ରମା ପ୍ରକଳ୍ପ ପୂର୍ବରୁ ଖୋଳିଲେ ଅସୁବିଧା କଣ ଅଛି?
ଦୀର୍ଘ ୪୫ ବର୍ଷ ଧରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଳାଯାଇନାହିଁ । ୨୦୧୮ ମସିହାରୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଭେଳିକି କରି ରତ୍ନ ଭଣ୍ଡାର ଖୋଳିନାହାନ୍ତି ଯାହା ଅଗଣିତ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛନ୍ତି । ଜଗନ୍ନାଥ ଭକ୍ତ ଓ ସାଧାରଣ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ କମିଟି ଗଠନ କରି ରତ୍ନଭଣ୍ଡାର ତୁରନ୍ତ ଖୋଲନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।

Nalco

Leave A Reply