Odisha news

ଆଇସିସି କ୍ରିକେଟ୍‌ ବିଶ୍ବକପ୍‌-୨୦୨୩ : ନେଦରଲାଣ୍ଡ୍‌ସକୁ ୮୧ ରନ୍‌ରେ ପରାସ୍ତ କଲା ପାକିସ୍ତାନ

0

ହାଇଦ୍ରାବାଦ୍‌: ଆଇସିସି କ୍ରିକେଟ୍‌ ବିଶ୍ବକପ୍‌-୨୦୨୩ର ଦ୍ବିତୀୟ ମୁକାବିଲାରେ ଶୁକ୍ରବାର ପାକିସ୍ତାନ ଚମକପ୍ରଦ ପ୍ରଦର୍ଶନ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନୀ ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍ଭ ଦେଖାଇଛନ୍ତି। ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ‌ ଖେଳିଥିବା ନେଦରଲାଣ୍ଡ୍‌ସକୁ ପାକିସ୍ତାନ ଟିମ୍‌ ୮୧ ରନ୍‌ରେ ପରାସ୍ତ କରିଛି। ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ୍‌ସ ୪୧ ଓଭରରେ ସମସ୍ତ ୱିକଟେ୍‌ ହରାଇ ୨୦୫ ରନ୍‌ରେ ଅଟକି ଯାଇଛି।

ନେଦରଲାଣ୍ଡ୍‌ସ ପାଇଁ ବାସ୍‌ ଡି’ ଲିଡେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୬୮ଟି ବଲ୍‌ ଖେଳି ୬ଟି ଚୌକା ଓ ୨ଟି ଛକା ବଳରେ ୬୭ ରନ୍‌ ସଂଗ୍ରହ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ବିକ୍ରମଜିତ ସିଂହ ୬୭ଟି ବଲ୍‌ ଖେଳି ୪ଟି ଚୌକା ଓ ଗୋଟିଏ ଛକା ବଳରେ ୫୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଲୋଗାନ ଭାନ ବିକ୍‌ ୨୮ଟି ବଲ୍‌ ଖେଳି ୨୮ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ଦଳର ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟ ଜନକ ଥିଲା।

ପାକିସ୍ତାନର ଖେଳାଳିମାନେ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲେ। ଟିମ୍‌ର ସମସ୍ତ ବୋଲର ୱିକେଟ୍‌ ଅକ୍ତିଆର କରିବାରେ ସଫଳ ହୋଇଥିଲେ। ହାରିସ ରୌଫଙ୍କୁ ସର୍ବାଧିକ ୩ଟି ୱିକେଟ୍‌ ମିଳିଥିଲା। ହାସନ୍‌ ଅଲି ୨ଟି ୱିକେଟ ଅକ୍ତିଆର କରିଥିଲେ। ସାହିନ ଶାହ ଆଫ୍ରିଦି, ଇଫିକାର ଅହମଦ, ମହମ୍ମଦ ନୱାଜ ଓ ସଦାବ ଖାନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ନେଦରଲାଣ୍ଡ୍‌ସ ପ୍ର‌ଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଥିଲା। ମଧ୍ୟକ୍ରମର ବ୍ୟାଟର ମହମ୍ମଦ ରିଜୱାନ ଓ ସାଉଦ ସକିଲ୍‌ଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୧୦ଟି ୱିକେଟ୍‌ ହରାଇ ୨୮୬ ରନ୍‌ ସଂଗ୍ରହ କରିଥିଲେ। ଫଳରେ ନେଦରଲାଣ୍ଡ୍‌ସକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୮୭ ରନ୍‌ର ଲକ୍ଷ୍ୟ ମିଳିଥିଲା।

ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟିଂ ଅତି ନୈରାଶ୍ୟ ଜନକ ଥିଲା। ଦଳୀୟ ସ୍କୋର ୩୮ ରନ୍‌ରେ ଆଗଧାଡ଼ିର ତିନି ଜଣ ଖେଳାଳି ଆଉଟ୍‌ ହୋଇ ପାଭଲିଅନକୁ ଫେରି ଆସିଥିଲେ। ପ୍ରାରମ୍ଭିକ ବ୍ୟାଟର ଫକର ଜାମନ ୧୨ ରନ୍‌ ଓ ଇମାମ ଉଲ୍‌ ହକ୍‌ ୧୫ ରନ୍‌ କରିଥିଲେ। ଅଧିନାୟକ ବାବର ଆଜମ ମଧ୍ୟ ଅଳ୍ପ ସମୟ ପରେ କ୍ରିଜ୍‌ରୁ ବିଦାୟ ନେଇଥିଲେ। ସେ ୧୮ଟି ବଲ୍‌ ସାମ୍ନା କରିଥିଲେ ହେଁ ଦଳ ପାଇଁ ମାତ୍ର ୫ ରନ୍‌ ଯୋଗଦାନ ଦେଇଥିଲେ।

ଚତୁର୍ଥ ୱିକେଟ୍‌ରେ ପାକିସ୍ତାନ ଭଲ ପ୍ରଦର୍ଶନ କରିଥିଲା। ମହମ୍ମଦ ରିଜୱାନ ଓ ସାଉଦ ସକିଲ ୧୨୦ ରନ୍‌ର ଭାଗିଦାରୀ ହୋଇ ପାରିଥିଲେ। ସକିଲ ୫୨ଟି ବଲ୍‌ ସାମ୍ନା କରି ୯ଟି ଚୌକା ଓ ଗୋଟିଏ ଛକା ସହିତ ୬୮ ରନ୍‌ କରିଥିଲେ। ମହମ୍ମଦ ରିଜୱାନ ୫ମ ୱିକେଟ୍‌ରେ ଇଫତିକାର ଅହମଦଙ୍କ ସହିତ ୨୪ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ସେ ଆଉଟ୍‌ ହୋଇ ପାଭଲିଅନ୍‌କୁ ଫେରିବା ପୂର୍ବରୁ ବ୍ୟକ୍ତିଗତ ଭାବେ ୬୮ ରନ୍‌ ଯୋଗଦାନ ଦେଇଥିଲେ। ସେ ୭୫ଟି ବଲ୍‌ ଖେଳି ୮ଟି ଚୌକା ମାରିଥିଲେ। ଇଫତିକାର ଅହମଦ ବ୍ୟକ୍ତିଗତ ଭାବେ ୯ ରନ୍‌ କରି ଆଉଟ୍‌ ହୋଇଥିଲେ।

ମହମ୍ମଦ ନୱାଜ ଓ ସଦାବ ଖାନ୍‌ ୭ମ ୱିକେଟ୍‌ରେ ପାକିସ୍ତାନ ପାଇଁ ୬୪ ରନ୍‌ର ଭାଗିଦାରୀ ହେବା ସହିତ ଦଳୀୟ ସ୍କୋରକୁ ଆଗକୁ ନେଇଯାଇଥିଲେ। ସଦାବ ୪୩ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୩୨ ରନ୍‌ ସଂଗ୍ରହ କରିଥିଲେ। ନୱାଜ ପାଭଲିଅନ ଫେରିବା ପୂର୍ବରୁ ୪୩ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ସହିତ ୩୯ ରନ୍‌ ସଂଗ୍ରହ କରିଥିଲେ। ଏହା ପୂର୍ବରୁ ହାସନ ଅଲିଙ୍କୁ ପାକିସ୍ତାନ ହରାଇଥିଲା। ହିସ ରୌଫ ୧୬ ରନ କରିଥିଲେ। ସାହିନ ଶାହ ଆଫ୍ରିଦି ଅପରାଜିତ ୧୩ ରନ୍‌ କରିଥିଲେ। ନେଦରଲାଣ୍ଡ୍‌ସ ପକ୍ଷରୁ ବାସ୍‌ ଡି’ ଲିଡେ ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ। କୋଲିନ୍‌ ଆକେରମାନଙ୍କୁ ୨ଟି ୱିକେଟ୍‌ ମିଳିଥିଲା।

Nalco

Leave A Reply