Odisha news

କୋଣାର୍କ ହେଉଛି କଳା ଓ ସଂସ୍କୃତିର ମୂର୍ତ୍ତିମନ୍ତ ପ୍ରତୀକ

0
ଭାଗୀରଥୀ ସ୍ଵାଇଁ ( ସମ୍ପାଦକ, କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ, କୋଣାର୍କ, ପୁରୀ ) : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ବିଶ୍ବରେ ଅନନ୍ୟ ଓ ଅଦ୍ବିତୀୟ। ଯାହାର ସ୍ଥାପତ୍ଯ, ଭାସ୍କର୍ଯ୍ୟ, ସଂସ୍କୃତି ଓ କଳାକୃତି ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଐତିହାସିକ କୋଣାର୍କ କୁ ଗୌରବାନ୍ବିତ କରିଛି। ଏହି ପ୍ରାଚୀନ କଳାକୃତି ସଂପନ୍ନ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଅନ୍ୟତମ। ଏହାର ଗୌରବମୟ ଇତିହାସ ସୂର୍ଯ୍ୟ ମନ୍ଦିର ଗାତ୍ରରେ ଖୋଦିତ ପ୍ରତିମା ଓ ମୂର୍ତ୍ତି ସମୂହର ଗାଥାକୁ ଭାଷାରେ ପରିପ୍ରକାଶ କରିଥାଏ। ଦ୍ବାଦଶ ଶତାଦ୍ଦୀର ଏହି ପ୍ରାଚୀନ କାରୁକାର୍ଯ୍ୟ ବିଶ୍ବରେ ବିରଳ କଳାକୃତି ଭାବେ ସୁପରିଚିତ। ବାରଶହ ବଢେଇଙ୍କ ନିହାଣ ମୁନରେ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ କୀର୍ତ୍ତିରାଜି ଆଜି ସମଗ୍ର ବିଶ୍ୱରେ ଓଡ଼ିଆ ଜାତିର ସେହି ମହାନ ଗୌରବମୟ ଇତିହାସକୁ ବିଶ୍ବବାସୀଙ୍କ ମନ, ପ୍ରାଣ ଓ ହୃଦୟରେ ଏକ ଆଲୋଡନ ସୃଷ୍ଟି କରିଛି। ଯାହା ବାରଶହ ବଢେଇ ମାନଙ୍କ ଟେକ ଓଡ଼ିଆ ଜାତିର ସମ୍ମାନ ଓ ଗୌରବମୟ ଗାଥାକୁ ଏକ ନୂତନ ପ୍ରେରଣା ଦେବା ସହ ଜାଗରଣ ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ। କୋଟି ଓଡିଆଙ୍କ ପ୍ରାଣ ଓ ପୂଲକର ହୃଦୟ ସ୍ପର୍ଶୀ ବ୍ଯଥାବେଦନାକୁ ପରିସ୍ଫୁଟ କରିବା ଦିଗରେ ସହାୟକ ହୋଇପାରିଛି। କୋଣାର୍କ ହେଉଛି କଳା ଓ ସ୍ଥାପତ୍ୟର ଏକ ପ୍ରାଚୀନ ବର୍ତାବହ ଯାହାର ପ୍ରାଚୀନ କଳାକୃତିର ପ୍ରସ୍ତର ମୂର୍ତ୍ତି ମାନ ଜୀବନ୍ତ ହୋଇ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରାଚୀନ କଳାକୃତି, ସଂସ୍କୃତି, ପରମ୍ପରା ସର୍ବପରି ଐତିହ୍ୟ ସଂପନ୍ନ ସୂର୍ଯ୍ୟ ମନ୍ଦିରକୁ ସାମୁଦ୍ରିକ ଲୁଣା ପବନ ଦାଉରୁ ରକ୍ଷା କରିବା ପାଇଁ ୧୯୦୩ ମସିହାରେ ଏସିଏଟିକ ସୋସାଇଟି ଦ୍ବାରା ମନ୍ଦିରର ଗର୍ଭଗୃହ ତଥା ଜଗମୋହନରେ ତ୍ରିସ୍ତରୀୟ ବାଲି ଭର୍ତ୍ତି କରାଯାଇଥିଲା। ଏହି ପ୍ରାଚୀନ ଐତିହ୍ୟ ଓ ପରମ୍ପରାର ପ୍ରତୀକ ସୂର୍ଯ୍ୟ ମନ୍ଦିରକୁ ଭବିଷ୍ୟତ ପଢି ପାଇଁ ସାଇତି ରଖିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଐତିହାସିକ ମାନେ ମତବ୍ୟକ୍ତ କରନ୍ତି। ଏହି ମନ୍ଦିରଟି ସୂର୍ଯ୍ୟ ନାରାୟଣଙ୍କ ଚଳନ୍ତି ରଥ ସଦୃଶ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ଅର୍ଥାତ ବ୍ରିଟିଶ ଶାସନ ସମୟରେ ଏହି ମୁଖ୍ୟ ମନ୍ଦିରଟି ଧ୍ବଂସ ବିଧ୍ବସ୍ତ ହୋଇଥିଲା ବୋଲି ଐତିହାସିକ ମାନେ ମତବ୍ୟକ୍ତ କରିଛନ୍ତି। ସାମ୍ପ୍ରତିକ ସମୟରେ ଯେଉଁ ମନ୍ଦିର ରହିଛି ତାହା ମୁଖଶାଳା। ଏହି କାରୁକାର୍ଯ୍ୟ ପୂର୍ଣ୍ଣ ସୂର୍ଯ୍ୟ ମନ୍ଦିରର ମୁଖଶାଳାରୁ ବାଲି କାଢିବା ପାଇଁ ଦାୟିତ୍ବରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ ମନ୍ଦିର ପାଦଦେଶରେ ପ୍ଲାଟଫର୍ମ କାମ ସଂପନ୍ନ ହୋଇଥିଲେ ମଧ୍ୟ ଅଦ୍ୟାବଧି ସୂର୍ଯ୍ୟ ମନ୍ଦିରର ଜଗମୋହନରୁ ବାଲି କାଢିବା କାମର ଅୟାରମ୍ଭ ହୋଇପାରିନାହିଁ। ଫଳରେ ମନ୍ଦିର ପରିସରରୁ ବାଲି କାଢିବା ପ୍ରକିୟା ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି। ଏହି ବାଲି କାଢିବା ପାଇଁ ଏଏସଆଇ ପକ୍ଷରୁ ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ବାଲି କାଢିବା ପାଇଁ ପ୍ରକିୟା ପ୍ରସ୍ତୁତ ହୋଇଛି। ମାତ୍ର କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ବାଲି କାଢିବା ପ୍ରସଙ୍ଗ ଉପରେ ନାନା ପ୍ରକାରର ପ୍ରଶ୍ନ ଉଙ୍କି ମାରୁଛି। ମନ୍ଦିରରୁ ବାଲି କଢାଗଲେ ମନ୍ଦିରର କିଛି ଅସୁବିଧା ହେବନି ତ ବୋଲି କୋଣାର୍କ ଅଞ୍ଚଳବାସୀ ମନ୍ଦିର ଦାୟିତ୍ବରେ ଥିବା ଏଏସଆଇ କର୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି। ଯାହା ର ଉତ୍ତର ଏଏସଆଇ କର୍ତୃପକ୍ଷଙ୍କ ପାଖରେ ନ ଥିବା ଭଳି ପ୍ରତୀୟମାନ ହେଉଛି। ଏହି ଐତିହ୍ୟ ସଂପନ୍ନ କାରୁକାର୍ଯ୍ୟ ପୂର୍ଣ୍ଣ ବିଶ୍ବ ପ୍ରାଣ, କୋଟି ଓଡିଆଙ୍କ ଗର୍ବ ଓ ଗୌରବର ସ୍ମାରକୀ ପୀଠ କୋଣାର୍କ ହେଉଛି କଳା ଓ ସ୍ଥାପତ୍ୟର ମୂର୍ତ୍ତିମନ୍ତ ପ୍ରତିଛବି। ଯାହାକୁ ନେଇ ଗର୍ବ କରେ ଓଡ଼ିଆ ଜାତି। ଯାହା ବିଶ୍ୱରେ ଓଡ଼ିଆଙ୍କ କଳାକୃତିକୁ ବିରଳ ଓ ହୃଦୟସ୍ପର୍ଶୀ ଭାବେ ବିଶ୍ବବାସୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି।
Nalco

Leave A Reply