ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସୋମବାର ସାରା ଦେଶରେ ଅନୁଷ୍ଠିତ ହେବ ୧୫୪ତମ ଗାନ୍ଧୀ ଜୟନ୍ତୀ। ଏହି ପରିପ୍ରେକ୍ଷୀରେ ସାରା ଦେଶରେ “ସ୍ୱଛତା ହିଁ ସେବା-ଆବର୍ଜନା ମୁକ୍ତ ଭାରତ” ଅକ୍ଟୋବର ୧ ତାରିଖରେ ସାରା ଦେଶରେ ପାଳିତ ହୋଇଥିଲା l ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ରବିବାର ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ କରାଯାଇଛି। ଏହି ଅବସରରେ ସର୍ବସାଧାରଣ ସ୍ଥାନରେ ରବିବାର ସକାଳ ୧୦ଟାରୁ ୧୧ଟା ଯାଏ ଶ୍ରମଦାନ କରି ସଫେଇ କରିବାକୁ ମୋଦି ଆହ୍ୱାନ ଦେଇଥିଲେ। ଏହାକୁ ମାନି ରାସ୍ତାଘାଟ, ପାର୍କ, ନଦୀ, ହ୍ରଦ ଭଳି ବିଭିନ୍ନ ସାଧାରଣ ସ୍ଥାନରେ ଲୋକେ ସଫେଇ କରିଛନ୍ତି। ଏ ନେଇ ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ଜବାନ ମାନେ ଟାଉନର ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ସମଗ୍ର ସହରରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆୟୋଜିତ କରି ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୧୨୭ ବାଟାଲିୟନର କମାଣ୍ଡାଣ୍ଟ ଆନନ୍ଦ ଝା, ଡେପୁଟି କମାଣ୍ଡାଣ୍ଟ ଅଜିତ ସି ବାବୁ, ଡେପୁଟି କମାଣ୍ଡାଣ୍ଟ ବିପିନ କୁମାର, ବାଲିଗୁଡା ଏସଡିପିଓ ୟଶ ପ୍ରତାପ ଶ୍ରୀମଲ, ଡିଏସପି ଶୁଭ୍ରଜିତ ବିଶ୍ଵାଳ,ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଙ୍କ ସମେତ ଟାଉନର ବଣିକ ସଂଘ କର୍ମକର୍ତ୍ତା, ହାଇସ୍କୁଲ ର ଛାତ୍ରଛାତ୍ରୀ, ୧୨୭ ବାଟାଲିୟନର ଅନ୍ୟ ଅଧିକାରୀ, କର୍ମଚାରୀ ଏବଂ ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପରେ ୧୨୭ ବାଟାଲିୟନ କମାଣ୍ଡେଣ୍ଟ ଆନନ୍ଦ ଝା ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଅବଗତ କରାଇଥିଲେ l ରୋଗ ଏବଂ ମଇଳାକୁ ରୋକିବା ପାଇଁ ପ୍ରତ୍ୟେକ ଦିନ ନିଜ ଆଖପାଖକୁ ସଫା ସୁତରା ରଖି ଏକ ସ୍ୱଚ୍ଛ ଭାରତ ଗଠନ କରିବାକୁ ଆହ୍ୱାନ କରିଥିଲେ l