Odisha news

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ଲଘୁଚାପ : ପ୍ରବଳ ବର୍ଷିବର ସମ୍ଭାବନା , ଅରେଞ୍ଜ ୱାର୍ଣ୍ଣିଂ ଜାରି

0

ଭୁବନେଶ୍ବର: ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହୋଇଯାଇଛି। ଆଜି ସକାଳ ସାଢ଼େ ୮ରୁ ସଂଧ୍ୟା ସାଢ଼େ ୫ଟା ମଧ୍ୟରେ ଛତ୍ରପୁରରେ ୩୪.୪ ମିମି, ପୁରୀରେ ୨୧ ମିମି, ଭଦ୍ରକରେ ୧୪.୫ ମିମି ଲେଖାଏ ବର୍ଷା ରେକର୍ଡ ହୋଇଛି। ଆସନ୍ତାକାଲି ଓ ୨୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି। ଆସନ୍ତାକାଲି ରାଜ୍ୟର କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର ଅନେକାଂଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଏହି ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଉପରୋକ୍ତ ୯ ଜିଲ୍ଲା ସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ ଓ ଖୋର୍ଧା ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଣୁ ଏହିସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ୨୧ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷାଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଅବଶିଷ୍ଟ ଓଡ଼ିଶାରେ ମଧ୍ୟ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଏହା ଆସନ୍ତା ୨ ଦିନ ଯାଏ ଉତ୍ତର ଓଡ଼ିଶା-ଦକ୍ଷିଣ ଝାଡ଼ଖଣ୍ଡ ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ୨୨ ତାରିଖ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ରହିବ।

Leave A Reply