ବେତନଟୀ : ବୈଶିଙ୍ଗା ଥାନା ଅଧୀନ ଗାଙ୍ଗପୁରା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଲାପଟପ ସହ ମୋବାଇଲ ଚୋରି କରି ନେଇଥିବା ଘଟଣାରେ ଦୁଇ ମହିଳା ଯାଯାବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ ବୈଶିଙ୍ଗା ଥାନା ଅଧୀନ ଗାଙ୍ଗପୁରା ଗ୍ରାମର ରଘୁନାଥ ସିଂ ଙ୍କ ପୁଅ ପ୍ରଦୀପ ସିଂ (୨୬) ଘରେ ନ ଥିବାବେଳେ ୧୦ ଘଟିକା ସମୟରେ ଦୁଇ ମହିଳା ଯାଯାବର ଭିକ୍ଷା ମାଗିବାକୁ ଆସିଥିଲେ। ମାତ୍ର ସମୟର ସୁଯୋଗ ନେଇ ସେହି ଦୁଇ ମହିଳା ଘରେ ପଶି ମୋବାଇଲ, ଲାପଟପ ସହ ସିମକୁ ଚୋରି କରିନେଇ ପଳାଇଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ସିଂ ଏବଂ ତାଙ୍କର ପରିବାର ଲୋକ ଏହି ସବୁ ସାମଗ୍ରୀ ଚୋରି ହୋଇଯାଇଥିବା ଜାଣି ପୁଲିସ କୁ ଖବର ଦେଇଥିଲେ। ପୁଲିସ ଶ୍ରୀ ସିଂ ଙ୍କ ଘରକୁ ଯାଇ ତଦନ୍ତ ପୂର୍ବକ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ଯାଞ୍ଚ ପରେ ବହୁ ଖୋଜାଖୋଜି ପରେ ବେତନଟୀ ହାଟପଦାରେ ରହୁଥିବା ଯାଯାବର ଙ୍କ ନିକଟରେ ପହଞ୍ଚିଥିଲା।ସେଠାରୁ ଦୁଇ ମହିଳା ଯାଯାବର ଙ୍କ ନିକଟରୁ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିବା ସହ ସେମାନଙ୍କୁ ଗିରଫ କରି ଥାନାକୁ ନେଇ ଆସିଥିଲେ। ସେ ଦୁଇ ଜଣ ହେଲେ ଝାଡଖଣ୍ଡ ଜିଲ୍ଲା ର ବାରା-ଆମଡ଼ା ଥାନା ଅଧୀନ ଆମଡ଼ା ଗ୍ରାମ ର ଚନ୍ଦାବତୀ ମୋଦୀ(୩୩) ଏବଂ ଖରସାୱାଁ ଗ୍ରାମର ସାରସପତି ମୋଦୀ (୨୩) | ଥାନାରେ ୩୫୪/୨୩ ରେ ମାମଲା ରୁଜ୍ଜୁ ହେବା ସହ ଗିରଫ ଦୁଇ ମହିଳା ଯାଯାବରଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।