Odisha news

ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ ଦଣ୍ଡ ପିଡ଼ିତାଙ୍କୁ ୪ଲକ୍ଷ ସହାୟତା ନିର୍ଦେଶ

0
ବ୍ରହ୍ମପୁର,୯।୮ ବ୍ରହ୍ମପୁର ସ୍ୱତନ୍ତ୍ର ପକସୋ କୋର୍ଟ ବୁଧବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଆସାମୀ ଜଣକ ହେଲେ ବରଗଡ଼ ଥାନା ଅଞ୍ଚଳର ଦେବରାଜ ବିରା(୫୨)। ଏହା ସହ ଜଜ ଅଭିଯୁକ୍ତଙ୍କୁ ୩୦  ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଅତିରିକ୍ତ ୩ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ, ୨୦୨୧ ମସିହା ଏପ୍ରିଲ ୮ତାରିଖରେ ବରଗଡ଼ ଥାନା ଅଞ୍ଚଳର ଏକ ଗ୍ରାମର ୧୩ବର୍ଷାୟୀ ନାବାଳିକା ନିଜ ଘରକୁ ଫେରୁଥିବା ବେଳେ ଦେବରାଜ ନାବାଳିକାକୁ ଅପହରଣ କରି ନିକଟସ୍ଥ ଏକ ନାଳ ନିକଟରେ ଦୁଷ୍କର୍ମ କରିଥିଲା। ପରେ ନାବାଳିକାକୁ ସେଠାରେ ଛାଡି ଦେବରାଜ ଫେରାର ହୋଇ ଯାଇଥିଲେ। ଘଟଣାକୁ ନେଇ ନାବାଳିକାଙ୍କ ବାପା ବରଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୀଡିତାଙ୍କ ବୟାନ ଓ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ପରଦିନ ହିଁ ଦେବରାଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୨୧ମସିହା ଜୁନ ୨୧ତାରିଖରେ ପୁଲିସ କୋର୍ଟରେ ଅଭିଯୋଗଫର୍ଦ ଦାଖଲ କରିଥିଲା। ଗିରଫ ପର ଠାରୁ ଅଭିଯୁକ୍ତ ଦେବରାଜ ଜେଲରେ ଥିଲେ। କୋର୍ଟରେ ଉକ୍ତ ମାମଲାର ବିଚାରଣା ବେଳେ ୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ରାୟ ପ୍ରକାଶ ବେଳେ ଅଭିଯୁକ୍ତ ଜେଲରେ ଥିଲେ। ଆଭାସୀରେ ତାଙ୍କୁ ହାଜର କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଜଜ ଗଣେଶ୍ୱର ପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମୋହନ ସିଙ୍ଗାରି ମାମଲା ପରିଚାଳନା କରୁଥିଲେ।
Har Ghar Tiranga

Leave A Reply