କାଲି ଉଦଘାଟିତ ହେବ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ
ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆସନ୍ତାକାଲି ଶନିବାର ଦିନ ଉଦଘାଟିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ତାଳକୋଟରା ଷ୍ଟାଡିୟମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି)ର ଶୁଭ ଉଦ୍ଘାଟନ କରିବେ। ଆର୍ଥିକ ସମଷ୍ଟିଗତ ଲକ୍ଷ୍ୟ ତୁରନ୍ତ ହାସଲ କରିବା ଦିଗରେ ସାଧାରଣ ଲୋକମାନଙ୍କ ପାଇଁ ଏକ ବିଶ୍ୱସ୍ତ, ଶସ୍ତା ଓ ସହଜ ବ୍ୟାଙ୍କ ଭାବରେ ଆଇପିପିବି କାର୍ଯ୍ୟ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଡାକବିଭାଗର ବିଶାଳ ନେଟୱାର୍କକୁ ବିନିଯୋଗ କରାଯାଇ ଏହାର ଲାଭ ଉଠାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶର କୋଣଅନୁକୋଣରେ ଥିବା ଡାକଘର ଗୁଡ଼ିକରେ ୩ଲକ୍ଷ ପୋଷ୍ଟ ମ୍ୟାନ୍ ଓ ଗ୍ରାମୀଣ ଡାକସେବକଙ୍କ ଜରିଆରେ ଲୋକମାନଙ୍କୁ ଏହି ବ୍ୟାଙ୍କ ସେବା ଉପଲବ୍ଧ କରାଯିବ। ଦ୍ରୁତ ପ୍ରଗତି ପଥରେ ଆଗେଇ ଚାଲିଥିବା ଦେଶର ଦୂରଦୂରାନ୍ତ ଓ ଦୁର୍ଗମ ଅଞ୍ଚଳରେ ସରକାରୀ ଯୋଜନାର ଲାଭ ଗୁଡ଼ିକୁ ପହଞ୍ଚାଇବା ପାଇଁ ଆଇପିପିବିକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ ଖୁଣ୍ଟ ବୋଲି ବିବେଚନା କରାଯାଉଛି।
ପୂର୍ବରୁ ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ପ୍ରତିଷ୍ଠା ଲାଗି ସଂଶୋଧିତ ପ୍ରକଳ୍ପ ବ୍ୟୟ ଅଟକଳ ୮୦୦ କୋଟିରୁ ୧,୪୩୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ସଂଶୋଧିତ ବ୍ୟୟ ଅଟକଳ ବାବଦକୁ ଖର୍ଚ୍ଚ ହେବାକୁ ଥିବା ୬୩୫ କୋଟି ଟଙ୍କା ମଧ୍ୟରୁ ୪୦୦ କୋଟି ଟଙ୍କା ପ୍ରଯୁକ୍ତି ମୂଲ୍ୟ ଏବଂ ୨୩୫ କୋଟି ଟଙ୍କା ମାନବ ସମ୍ବଳ ବାବଦକୁ ବ୍ୟୟ କରାଯିବ ।