ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ବର୍ଷ : ମାର୍ଚ୍ଚ ୨୩ ତାରିଖ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉତ୍କଳ ଆଗମନର ଶତବାର୍ଷିକୀ ଉପଲକ୍ଷେ …….
ହିମାଂଶୁ ଶେଖର ଆଚାର୍ଯ୍ୟ : ସେଦିନ ଥିଲା ବୁଧବାର । ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ । ଆଜିକୁ ଠିକ୍ ୧୦୦ ବର୍ଷ ତଳର ସେହିଦିନ ଥିଲା ପବିତ୍ର ଦୋଳ ପୂର୍ଣ୍ଣିମା ତିଥି । ଇତିହାସର ସହର କଟକ ନଗରୀ ପାଇଁ ସେଦିନ ଥିଲା ଏକ ଅବିସ୍ମରଣୀୟ ଦିନ । ସେଦିନ କଟକ ମାଟିରେ ପ୍ରଥମଥର ପାଇଁ ପାଦ ଦେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଇତିମଧ୍ୟରେ ୧୦୦ବର୍ଷ ବିତି ଯାଇଛି । ସେହି ସ୍ମୃତି ଆଜି ଅତୀତ । କିନ୍ତୁ ସେହି ଦିନର ସ୍ମତି ଏବେବି ଇତିହାସ ପୃଷ୍ଠାରେ ଅଭୁଲା ଅଧ୍ୟାୟ ହୋଇ ରହିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ୧୮୯୩ ମସିହାରୁ ୧୯୧୪ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ରହଣି ମଧ୍ୟରେ ଗାନ୍ଧିଜୀ ସେଠାକାର ଗୋରା ସରକାରଙ୍କ ବିରୋଧରେ ଯେଉଁ ଅମୋଘ ଅସ୍ତ୍ର ପ୍ରୟୋଗ କରିଥିଲେ ତାହା ସତ୍ୟାଗ୍ରହ ନାମରେ ପରିଚିତ । ଅହିଂସା ଆନେ୍ଦାଳନକୁ ଜାରି ରଖି ଦକ୍ଷିଣ ଆଫ୍ରିକାର ଜନସାଧାରଣମାନଙ୍କ ଅଧିକାର, ସମାନତା ଓ କଳାଗୋରା ଭେଦଭାବର ପରିସମାପ୍ତି ଘଟାଇଥିଲେ । ୧୯୧୫ ମସିହାରେ ଗାନ୍ଧିଜୀ ଭାରତକୁ ଫେରିଆସିଲେ । ସେ ଶାନ୍ତିର ଦେବଦୂତ ହୋଇଆସିଥିଲେ । ଭାରତୀୟ ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ ଦେଇ ସେ ତାର ମଙ୍ଗୁଆଳ ସାଜିଥିଲେ ।
ସେତେବେଳକୁ ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଅସହଯୋଗ ଆନେ୍ଦାଳନରେ ସାମିଲ ହେବା ପାଇଁ ଯୋଜନା ପ୍ରସ୍ତୁତ କରୁଥାନ୍ତି । ଓଡିଶାରେ ମଧ୍ୟ ତାର ଖସଡା ପ୍ରସ୍ତୁତି ଚାଲିଥାଏ । ୧୯୨୦ ମସିହା ଡିସେମ୍ବର ମାସରେ ନାଗପୁର ଠାରେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନରୁ ଫେରି ଗୋପବନ୍ଧୁ ଦାସ ଓଡିଶାରେ ଅସହଯୋଗର ବାର୍ତ୍ତା ପ୍ରଚାର ପାଇଁ କାର୍ଯ୍ୟ ଆରମ୍ଭ କରିଥାନ୍ତି । ୧୯୨୧ ମସିହାର ୨୩ ତାରିଖରେ ସେହି ସ୍ମରଣୀୟ ଦିନ ଆସିଥିଲା । ଗାନ୍ଧୀଙ୍କ ପ୍ରଥମ ଉକôଳ ଆଗମନର ରହଣି ପାଇଁ ପ୍ରସ୍ତୁତ ହୋଇଥିଲା ସେଦିନର ମୁକ୍ତି ସଂଗ୍ରାମର ତୀର୍ଥ ଭୂଇଁ କଟକର ଐତିହାସିକ ସ୍ୱରାଜ ଆଶ୍ରମ । ସ୍ୱରାଜ ଆଶ୍ରମରୁ କଟକ ରେଳ ଷ୍ଟେସନ ଅଭିମୁଖେ ବାହାରିଥିଲା ଏକ ବିଶାଳ ଅଭ୍ୟର୍ଥନା ପଟ୍ଟୁଆର । ଯାହାର ନେତୃତ ନେଇଥିଲେ ଯୁବକର୍ମୀ ଯଦୁମଣୀ ମଙ୍ଗରାଜ ।
ବଡି ଭୋର୍ରୁ କଲିକତା ପଟୁ ଧୀର ଗତିରେ ଆସି ପହଞ୍ଚିଲା ପୁରୀ ଏକ୍ସପ୍ରେସ ରେଳ ଗାଡିଟି ।ଷ୍ଟେସନର ଉତ୍ତର ପାଖର ଶେଷମୁଣ୍ଡରେ ଗୋଟିଏ ତୃତୀୟ ଶ୍ରେଣୀ ଡବାର ଦ୍ୱାରମୁହଁରେ ଦେଖାଗଲା ମହାତ୍ମାଙ୍କ ହସ ହସ ମୁହଁର ଚେହେରାଟିଏ । ‘ମହାତ୍ମା ଗାନ୍ଧୀ କି ଜୟ’ ଧ୍ୱନିରେ କମ୍ପି ଉଠିଲା ସେହି ଅଞ୍ଚଳ । ଗାନ୍ଧୀଙ୍କ ଦେହରେ ଥାଏ ଲୁଗା, ଖଦଡ, ପଞ୍ଜାବୀ ଓ ମଥାରେ ଟୋପି ଟିଏ । ପୁରା ଗୁଜୁରାଟି ବେଶ ଭୁଷା । ଡବାରୁ ଧୀର ପାଦରେ ଓହ୍ଲାଇ ଉକôଳ ମାଟିରେ ପାଦ ଦେଲେ ମୋହନ ଦାସ କରମଚାନ୍ଦ ଗାନ୍ଧୀ । ଗାନ୍ଧୀଙ୍କ ପଛରେ ଥିଲେ ତାଙ୍କ ଧର୍ମପତ୍ନୀ କସ୍ତୁରବା ଓ କନିଷ୍ଠ ପୁତ୍ର ଦେବଦାସ । ମହାତ୍ମାଙ୍କ ପ୍ରଥମ ସାକ୍ଷାତ ହେଲା ଉକôଳମଣି ଗୋପବନ୍ଧୁ ଦାସଙ୍କ ସହ । ଫୁଲମାଳ ଦେଇ ସ୍ୱାଗତ କଲେ ଗୋପବନ୍ଧୁ । ବିଶାଳ ଜନସମୁଦ୍ର ପାଛୋଟି ଆଣିଲେ ତାଙ୍କୁ ସ୍ୱରାଜ ଆଶ୍ରମକୁ ।
ମାର୍ଚ୍ଚ ୨୩ ତାରିଖ ଦୋଳ ପୂର୍ଣ୍ଣିମା ତିଥିରେ କାଠଯୋଡିର ବାଲି ଶଯ୍ୟାରେ ଆୟୋଜିତ ହୋଇଥିଲା ଗାନ୍ଧୀଜୀଙ୍କର ସ୍ମରଣୀୟ ସଭାର କାର୍ଯ୍ୟକ୍ରମ । ଆଜି ଯେଉଁଠି ସନ୍ସାଇନ୍ ପଡିଆ ଓ ଗଣେଷ ଘାଟ ଅଛି ତାହାର ମଧ୍ୟଭାଗ କାଠଯୋଡି ନଈ ବାଲି ଉପରେ ହୋଇଥିଲା ଏହି ବିଶାଳ ଜନସଭା । ସଭା ଆଗରୁ ପ୍ରଥମେ ‘ବନେ୍ଦ ମାତରମ୍’ ଗାନ କରାଯାଇଥିଲା । ପଣ୍ଡିତ ଗୋପବନ୍ଧୁ ଦାସ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଏପର୍ଯ୍ୟନ୍ତ ଯେତେ ମହାପୁରୁଷ ଆମ ଦେଶରେ ଜନ୍ମ ଗ୍ରହଣ କରିଛନ୍ତି ସମସ୍ତେ ନିଜର ପୁଣ୍ୟକୀର୍ତ୍ତି ଏହି ଉକôଳ ଭୂଇଁରେ ଛାଡି ଯାଇଛନ୍ତି । ଗୈାତମ ବୁଦ୍ଧଙ୍କ ଠାରୁ ଆରମ୍ଭ କରି ସନ୍ଥକବୀର, ଶଙ୍କର, ନାନକ, ଶ୍ରୀଚୈତନ୍ୟ ଓ ରାମାନୁଜଙ୍କ ଭଳି ମହାନ ମହାପୁରୁଷମାନଙ୍କର ସଙ୍କେତ ଆମ ଉକôଳ ଭୂଇଁରେ ରହିଛି । ସେହିପରି ଆଜିର ପୁଣ୍ୟ ଦିବସରେ ମହାତ୍ମାଙ୍କ ଏହି ପ୍ରଥମ ଉକôଳ ଆଗମନର ବାର୍ତ୍ତା ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ ।
୧୦୦ବର୍ଷ ତଳେ ନା ଥିଲା ବିଜୁଳି, ନା ଥିଲା ଆଲୁଅ, ନା ମାଇକ୍ ଯନ୍ତ୍ର ।
ମହାତ୍ମା ଗାନ୍ଧୀଙ୍କ ଠାରୁ ଶୁଣିବା ଉଦେ୍ଦଶ୍ୟରେ ସଭାରେ ଥିଲା ନୀରବତା । ଠିକ୍ ଏହି ସମୟରେ ଗୁରୁ ଗମ୍ଭୀର ସ୍ୱରରେ ହିନ୍ଦୀ ଭାଷାରେ ତାଙ୍କ ଭାଷଣ ଦେବା ଆରମ୍ଭ କଲେ । ଉଚ୍ଚା ଚଉକି ଉପରେ ବସି ଭାଷଣ ଆରମ୍ଭ କରି କହିଲେ ମୁଁ ଛିଡା ହୋଇ ଏହି ସଭାରେ ଆପଣଙ୍କୁ ଭାଷଣ ଦେଇପାରୁନଥିବାରୁ ମତେ କ୍ଷମା କରିବେ । ଅସହଯୋଗ ଆମର ଧର୍ମ, ସ୍ୱରାଜ୍ୟ ଆମର ମୁକ୍ତି । ହିନ୍ଦୁ ମୁସଲମାଙ୍କର ଗୋଟିଏ ଆତ୍ମା । ସେମାନେ କିପରି ଏହି ମାଟିରେ ସର୍ବଦା ସୁଖ ଶାନ୍ତିରେ ରହିବେ ସେଥିପାଇଁ ଆମେ ହିନ୍ଦୁ ସ୍ଥାନର ପ୍ରତ୍ୟେକ ସ୍ଥାନ ବୁଲୁଛୁ । ଲୋକମାନ୍ୟ ତିଳକଙ୍କ ବକ୍ତବ୍ୟକୁ ଉଦ୍ଧାରକରି ଗାନ୍ଧିଜୀ କହିଥିଲେ, ‘ସ୍ୱରାଜ୍ୟ ହେଉଛି ଆମ ଜନ୍ମଗତ ଅଧିକାର’ । କଟକ ସଭାରେ ଗାନ୍ଧିଜୀ ଓକିଲ ଓ ଛାତ୍ରମାନଙ୍କୁ ଅସହଯୋଗର ବାର୍ତ୍ତା ଶୁଣାଇ କହିଥିଲେ ଯେ, ତୁମେମାନେ ବିଦେଶୀ ତିଆରି ଜିନିଷ ବିଶେଷକରି ବସ୍ତ୍ର ବର୍ଜନ କର । ସମସ୍ତେ ଏଠାରେ ଖଦି ପିନ୍ଧୁନ୍ତୁ । ନିଜର ପୋଷାକ ଦେଖାଇ ସେ କହିଥିଲେ ମୁ ଯେଉଁ ଖଦଡ ପିନ୍ଧିଛି ଏଥିରେ ମୁଁ ଶୁଦ୍ଧତାର ବାସ୍ନା ପାଉଛି ।
ସାରା ଭାରତକୁ ଗାନ୍ଧଜୀ ନିଜର ବୋଲି ଭାବୁଥିଲେ । କିନ୍ତୁ ଓଡିଶା ପ୍ରତି ତାଙ୍କ ହୃଦୟରେ ଥିଲା ଅଶେଷ ଶ୍ରଦ୍ଧା ଓ ସହାନଭୂତି । ସେଥିପାଇଁ ସେ ବିଭିନ୍ନ ସମୟରେ ଓଡିଶା ଗ୍ରସ୍ତ କରିଥିଲେ । ପ୍ରଥମ: ୧୯୨୧ ମାର୍ଚ୍ଚ ୨୩ ରୁ ୨୯- ଗୋପବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ପ୍ରଥମ ଓଡିଶା ଗ୍ରସ୍ତ । କଟକ,ଭଦ୍ରକ, ପୁରୀ ଓ ବ୍ରହ୍ମପୁର ଗ୍ରସ୍ତକରି ଅସହଯୋଗ, ଖିଲାପତ ଆନେ୍ଦାଳନର ବାର୍ତ୍ତା ପ୍ରଚାର । ଖଦି ପ୍ରଚାର ଓ ହିନ୍ଦୁ ମୁସଲମାନ ଏକତା ଉପରେ ଗୁରୁତ୍ୱ । ଦ୍ୱିତୀୟ: ୧୯୨୫ ଅଗଷ୍ଟ ୧୯ ଓ୨୦- ମଧୁବାବୁଙ୍କ ଅନୁରୋଧକ୍ରମେ ଉକôଳ ଟ୍ୟାନେରୀ ଓ କଟକ କୁଷ୍ଠାଶ୍ରମ ପରିଦର୍ଶନ । ତୃତୀୟ: ୧୯୨୭ ଡିସେମ୍ବର ୪ ରୁ ୨୧- ୧୫ଦିନଆ ଓଡିଶା ଗ୍ରସ୍ତରେ ଆସି ବାପୁଜୀ ଖଦି ପ୍ରସାର କାମରେ ଲାଗିଥିଲେ ଓ ରାଜ୍ୟର ବିଭିନ୍ନ ସ୍ଥାନ ବୁଲିଥିଲେ । ଚତୁର୍ଥ: ୧୯୨୮ ଡିସେମ୍ବର ୨୨- ଝାରସୁଗୁଡା ଓ ସାଲେପୁର ଗ୍ରସ୍ତ । ବିଭିନ୍ନ ସ୍ଥାନରେ ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ପ୍ରଚାର । ପଞ୍ଚମ: ୧୯୩୪ ମଇ ୫ରୁ ୧୬- ଉକôଳରେ ପଦଯାତ୍ରା । ଝାରସୁଗୁଡା, ସମ୍ବଲପୁର, କଟକ ଓ ପୁରୀର ବିଭିନ୍ନ ସ୍ଥାନରେ ପଦଯାତ୍ରା । ଏହି ସମୟରେ ସେ ହରିଜନ ପଦଯାତ୍ରା ପାଇଁ ବିଶେଷ ଚର୍ଚ୍ଚିତ ଥିଲେ । ଷଷ୍ଠ: ୧୯୩୪ ମଇ ୨୧ ରୁ ଜୁନ୍ ୭- ଯାଜପୁର, କେନ୍ଦ୍ରାପଡା ଓ ଭଦ୍ରକରେ ଦ୍ୱିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ।
Comments are closed.